ଜମ୍ମୁ ଓ କାଶ୍ମୀରର ବିକାଶ ପାଇଁ ପେଡ଼ି ଖୋଲିଲେ ସରକାର : ୮୦, ୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

159

କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ସରକାରଙ୍କ ଉପହାର । ଜମ୍ମୁ ଓ କଶ୍ମୀର ଲାଗି କେନ୍ଦ୍ର ସରକାର ୮୦, ୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ମଞ୍ଜୁର କରିଛନ୍ତି । ସରକାର ବୁଧବାର କାଶ୍ମୀରର ବିକାଶ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି । ବୁଧବାର ଦିନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏ କଥା ଘୋଷଣା କରିଛି ।

କେନ୍ଦ୍ରର ଏହି ଘୋଷଣା ଫଳରେ ଜମ୍ମୁ ଓ କଶ୍ମୀରରେ ଶିକ୍ଷା, ପର୍ଯ୍ୟଟନ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଦ୍ରୁତ ଉନ୍ନତି ଘଟିବା ସହ ହଜାର ହଜାର ଶିକ୍ଷିତ ବେକାର ଯୁବକଯୁବତୀଙ୍କ ଲାଗି କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ । ଏହି ପ୍ୟାକେଜ୍‌ ଯୋଗୁଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ ।

ସୂଚନାଯୋଗ୍ୟ ଜାନୁଆରି ୨୦ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଥିଲେ- ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ମାର୍ଚ ୨୦୨୧ ସୁଦ୍ଧା ୨୫୦୦୦ କୋଟି ଟଙ୍କା ମୂଲ୍ୟର ଅନ୍ୟୂନ ୨୫ଟି ପ୍ରକଳ୍ପ ଆସିବ। ଜମ୍ମୁ ଓ କଶ୍ମୀରକୁ ଦେଶର ‘ରତ୍ନ’ ବୋଲି ବର୍ଣ୍ଣନା କରି ସେ ଆହୁରି କହିଥିଲେ ଯେ ବୃହତ୍ତର ପୁଞ୍ଜି ବିନିଯୋଗ ଆଶାରେ ସରକାର ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ଗୋଟାଏ ଶିଳ୍ପ ପ୍ୟାକେଜ୍‌ ଲାଗି ଯୋଜନା କରୁଛନ୍ତି ।

ଅନ୍ୟୂନ ୩୬ ଜଣ କେନ୍ଦ୍ର ମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ସମୟରେ କେନ୍ଦ୍ର ସରକାର ଏ ଭଳି ଘୋଷଣା କରିଛନ୍ତି । ସେମାନେ ଜାନୁଆରି ୧୮ ରୁ ଜାନୁଆରି ୨୪ ଯାଏଁ ଗସ୍ତରେ ରହିବେ । ଗୃହମନ୍ତ୍ରାଳୟ ମଧ୍ୟ ଏହି ଗସ୍ତରେ ସମନ୍ଵୟତା ରକ୍ଷା କରୁଛି ।