କନକ ବ୍ୟୁରୋ : ଓଡ଼ିଶାର ଆଦିବାସୀ ଅଞ୍ଚଳରେ ସ୍ପେସାଲ ଏରିଆ ପ୍ରୋଗ୍ରାମ (ସ୍ୱତନ୍ତ୍ର ଅଞ୍ଚଳ କାର୍ଯ୍ୟକ୍ରମ)ରେ ଓଡ଼ିଶାକୁ ଆସିଥିବା ବହୁ ପରିମାଣର ଅର୍ଥ ଖର୍ଚ୍ଚ ହୋଇପାରିନି । ୨୦୧୭-୧୮ ଓ ୨୦୧୮-୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୭,୪୪୪.୪୫ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା । ସେଥିମଧ୍ୟରୁ ୨୬,୧୯୬.୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନାହିଁ । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
ରମା ଦେବୀଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ସ୍ବତନ୍ତ୍ର ଅଞ୍ଚଳ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ବିନିଯୋଗ ଆଉ କେତେକ ପ୍ରସଙ୍ଗ ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିରେ ଦର୍ଶାଯାଇଛି ଯେ, ରାଜ୍ୟରେ ୫୭ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସ୍ଥାପନ ପାଇଁ ମଞ୍ଜୁରି କରାଯାଇଛି ତଥା ଆଉ ୬୨ଟି ମଞ୍ଜୁରି କରାଯିବାର ପ୍ରସ୍ତାବ ରହିଛି । ବର୍ତ୍ତମାନ ରାଜ୍ୟରେ ୧୯ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଳାଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା । ଷ୍ଟାଣ୍ଡିଂ କମିଟି ପକ୍ଷରୁ ପ୍ରତ୍ୟେକ ଆଦିବାସୀ ଜିଲ୍ଲାରେ ଗୋଟିଏ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲାଯିବାର ପ୍ରସ୍ତାବ ଦିଆଯିବା ସହିତ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟକୁ ଏକ ମେକାନିଜ୍ମ ପ୍ରସ୍ତୁତ କରି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଗୁଡ଼ିକର ସ୍ଥାପନାରୁ ବିଭିନ୍ନ ପର୍ଯ୍ୟାୟ ତଥା ଭିତ୍ତିଭୂମି ନିର୍ମାଣ ତଦାରଖ ପାଇଁ ମଧ୍ୟ କମିଟି ଦ୍ବାରା କୁହାଯାଇଥିଲା ।