ସିସିଟିଭି ସ୍କାନରରେ ରହିବ ଗୁରୁପ୍ରିୟା ସେତୁ ! ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ସୁରକ୍ଷା ନେଇ ଚିନ୍ତାରେ ମାଲକାନଗିରି ପୁଲିସ

24

କନକ ବ୍ୟୁରୋ : ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳକୁ ସଂଯୋଗ କରିବାକୁ ଥିବା ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ସୁରକ୍ଷା କାମରେ ଲାଗିବ ସିସିଟିଭି । ପୋଲ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଏହାକୁ ମାଓ କବଳରୁ ସୁରକ୍ଷିତ ରଖିବା ପାଇଁ ମାଲକାନଗିରି ପୋଲିସ ପାଇଁ ବଡ ଚ୍ୟାଲେଂଜ । ସେତୁ ନିକଟରେ ମାଓ ଗତିବିଧି ବଢିଥିବା ବେଳେ ସମଗ୍ର ଗୁରୁପ୍ରିୟା ସେତୁକୁ ସମ୍ପୁର୍ଣ ଆଲୋକିତ କରିବା ସହ ସିସି.ଟି.ଭି ବଳୟରେ ରଖିବାକୁ ନିଷ୍ପତି ନିଆଯାଇଛି ।

ଗୁରୁପ୍ରିୟା ସେତୁ ଜଗିବ ସିସିଟିଭି । ସେତୁ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଛି ଲାଲବାହିନୀ । ଏନେଇ ଗୁଇନ୍ଦା ରିପୋର୍ଟ ଆସିବା ପରେ ସୁରକ୍ଷା ବଢାଇବା ସହ ନିର୍ମାଣ ସ୍ଥଳରେ ସିସିଟିଭି ଲଗାଇବା ପାଇଁ ଯୋଜନା କରିଛି ମାଲକାନଗିରି ପୁଲିସ । ଗୁରୁପ୍ରିୟା ସେତୁ ଉପର, ତଳ ସବୁଠି ସି.ସି.ଟିଭି କ୍ୟାମେରା ଲଗାଇବା ସହ ଏହାର ୱେବ କଷ୍ଟିଙ୍ଗ କରିବ ପୁଲିସ । ଏଥିପାଇଁ ୬ଟି ହାଇ ରିଜୋଲୁସନ୍ ନାଇଟ ଭିଜନ କ୍ୟାମେରା ବ୍ୟବହାର ହେବ । ଗୁରୁପ୍ରିୟା ସେତୁ ଉପରେ ଓ ଆଖପାଖ ଅଂଚଳରେ ହେଉ ଥିବା ସନ୍ଦିଗ୍ଧ ଗତିବିଧି ଉପରେ ମାଲକାନଗିରିରୁ ସମୀକ୍ଷା କରିବେ ପୋଲିସ ଓ ବି.ଏସ.ଏଫର ବରିଷ୍ଠ ଅଧିକାରୀ । ରାତିରେ ମଧ୍ୟ ଗୁରୁପ୍ରିୟା ସେତୁର ଚିତ୍ର ଉତ୍ତୋଳନରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ସେତୁକୁ ସମ୍ପୁର୍ଣ ଆଲୋକିତ କରିବାକୁ ପୂର୍ତ୍ତବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ମାଓବାଦୀ ମାନେ ଗୁରୁପ୍ରିୟା ସେତୁ ନିର୍ମାଣ କାମକୁ ବିରୋଧ କରି ଆକ୍ରମଣ କରିବାରୁ ଆନେକ କମ୍ପାନୀ କାମ ଅଧାରେ ଛାଡି ଚାଲି ଯାଇଥିଲେ । ତେବେ କୋଲକାତାର ରୟାଲ ଇନଫ୍ରା କମ୍ପାନୀ ଏହି କାମକୁ ଶେଷ ପର୍ଯ୍ୟାୟକୁ ନେଇଛି । ହେଲେ ଏବେ ଗୁରୁପ୍ରିୟା ନିକଟରେ ମାଓବାଦୀଙ୍କ ଚଳପ୍ରଚଳ ବଢିଥିବାରୁ ସେତୁକୁ ସୁରକ୍ଷା ଯୋଗାଇବା ଏବେ ମାଲକାନଗିରି ପୁଲିସ ପାଇଁ ବଡ ଚ୍ୟାଲେଜ । ସେତୁର ସୁରକ୍ଷା ପାଇଁ ବି.ଏସ.ଏଫ ଯବାନ ଆଲର୍ଟ ଥିବା ବେଳେ ରୁଟିନ କୁମ୍ବିଂ ଅପରେସନ ବଦଳରେ ଗୁରୁପ୍ରିୟା ନିର୍ମାଣ ସ୍ଥଳକୁ ୨୪ ଘଂଟା ଜଗି ରହୁଛନ୍ତି ଯବାନ ।

ବାଲିମେଳା ଜଳଭଣ୍ଡାରରେ ଜଳସ୍ତର କମିବାରୁ ପୋଲ ନିର୍ମାଣ କାମରେ ବିଳମ୍ବ ଘଟିଛି । ଡିଜାଇନରେ ପରିବର୍ତନ କରାଯାଇ ୬୦ ମିଟିର ଲମ୍ବ ତିନୋଟି ଷ୍ଟିଲ ଗାଡାର ଉଠାଯାଇ ସେହି ଲମ୍ବର ସ୍ପାନ ଉପରେ ଛାତ ପଡି ସାରିଛି । ଆଉ କିଛି ଦନର କ୍ୟୁରିଙ୍ଗ ପରେ ଆସନ୍ତା ମାସରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହବ ଗୁରୁପ୍ରିୟା ସେତୁ ।