କନକ ବ୍ୟୁରୋ : ଝାରସୁଗୁଡା ବ୍ରଜରାଜନଗର ଗତକାଲି ରାତିରେ ଲକ୍ଷ୍ମୀ କେଫ୍ ରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ୪ ଅପରାଧୀଙ୍କୁ ଏନକାଉଂଟର କରି ଗିରଫ କରିଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଗୁଳିକାଣ୍ଡର ସିସିଟିଭି ଭିଡିଓ । କିଭଳି ଭାବେ ଲକ୍ଷ୍ମୀ କେଫ୍ ଭିତରେ ମଂଟୁ ଘୋଷକୁ ଗୁଳି କରିଥିଲେ ଅପରାଧୀ ତାହାର ପୁରା ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଲକ୍ଷ୍ମୀ କେଫରେ ଖାଇସାରି କାଉଁଟରରେ ଟଙ୍କା ଦେଉଥିବା ବେଳେ ଘଟିଥିଲା ଏହି ଗୁଳିକାଣ୍ଡ । ମଂଟୁଘୋଷକୁ ଅତି ପାଖରୁ ଗୁଳି କରାଯାଇଥିଲା । ଦେହକୁ ଗୁଳି କରିବା ପରେ ମଂଟୁ ଖସି ପଡିଥିଲେ । ଏହା ପରେ ପରେ ତାର ମୁଂଡକୁ ଲକ୍ଷ୍ୟ କରି ଗୁଳି କରିଥିଲେ ଦୁର୍ବୃତ । ଆଉ ଏହାକୁ ନେଇ ଲକ୍ଷ୍ମୀ କେଫ୍ ରେ ଖେଳିଯାଇଥିଲା ଆତଙ୍କ ।

Advertisment

ଗୁଳିକାଣ୍ଡ ଦେଖି ଦୋକାନ ଭିତରେ ଥିବା ଅନ୍ୟ ଲୋକ ବି ଆତଙ୍କରେ ଚାଲି ଯାଇଥିଲେ । ସେପଟେ ସିସିଟିଭି ଫୁଟେଜକୁ ଆଧାର କରି ରାତିରେ ପ୍ରାୟ ୫ ଘଂଟାର ତନାଘନା ପରେ ୪ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସହରକୁ ନାକାବନ୍ଦୀ କରି ପୋଲିସ ରାତିରେ ଆରମ୍ଭ କରିଥିଲା ତନାଘନା । ପୋଲିସର ଘେରାବନ୍ଦୀକୁ ଦେଖି ୪ ଅପରାଧୀ ମଧୁପୁର ଜଙ୍ଗଲ ଆଡକୁ ମୁହାଁଇଥିଲେ । ଏତିକିବେଳେ ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଥିଲେ । ଖସିଯିବାକୁ ପୋଲିସ ଉପରକୁ ଗୁଳିଚଳାଇବାରୁ ପୋଲିସ କରିଥିଲା ଏନକାଉଁଟର । ଏଥିରେ ଆହତ ହୋଇଥିଲେ ୪ ଜଣ ଅପରାଧୀ ।

ପୋଲିସ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ ଏବଂ ଅନସାରୀକୁ ଗିରଫ କରି ଡାକ୍ତରଖାନାରେ ଭର୍ତି କରିଛି । ପୋଲିସର ପ୍ରାଥମିକ ସୂଚନା ଅନୁସାରେ ଗତ ଜୁଲାଇ ମାସରେ ଘଟିଥିବା ଅମିତ ଧଳ ହତ୍ୟାକାଣ୍ଡ ସହିତ ମଂଟୁ ଘୋଷ ହତ୍ୟାକାଣ୍ଡର ସଂପର୍କ ରହିଛି । ଏହି ଗୁଳିକାଣ୍ଡ ପଛରେ ଗ୍ୟାଙ୍ଗୱାର ସଂପର୍କ ଥିବା ସୂଚନା ଦେଇଛି ବ୍ରଜରାଜନଗର ପୋଲିସ ।