ଫେବ୍ରୁଆରିରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା : ସପ୍ତାହକ ମଧ୍ୟରେ ପୂର୍ଣ୍ଣାଙ୍ଗ ତା‌ରିଖ ଘୋଷଣା

33

କନକ ବ୍ୟୁରୋ : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୧୯ ଫେବ୍ରୁଆରିରୁ ଆରମ୍ଭ ହେବ । ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କରିବା ସହ ଶୀଘ୍ର ଫଳ ପ୍ରକାଶ ଉପରେ ଗୁରୁତ୍ୱ ଦେଇଛି ବୋର୍ଡ । ତେବେ ଉଭୟ ଶ୍ରେଣୀର ସମ୍ପୂର୍ଣ୍ଣ ପରୀକ୍ଷା ତାରିଖ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ସିବିଏସ୍‌ଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ନିଷ୍ପତ୍ତି ଅନୁଯାୟୀ ଦକ୍ଷତା ଶିକ୍ଷା(ଧନ୍ଦାମୂଳକ ଶିକ୍ଷା) ବିଭାଗ ଓ ଏଥିସହ ଜଡ଼ିତ ବିଷୟଗୁଡ଼ିକର ପରୀକ୍ଷା ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବ । ଏବେ ଦ୍ବାଦଶ ଶ୍ରେଣୀ‌େର ୪୦ଟି ଧନ୍ଦାମୂଳକ ଶିକ୍ଷା ବିଷୟ ରହିଥିବା‌ ବେଳେ ଦଶମ ଶ୍ରେଣୀରେ ୧୫ଟି ବିଷୟ ରହିଛି । ଧନ୍ଦାମୂଳକ ଶିକ୍ଷା ବିଷୟଗୁଡ଼ିକ ସହ ଟାଇପୋଗ୍ରାଫି, କମ୍ପ୍ୟୁଟର ଆପ୍ଲିକେସନ୍‌ସ(ଇଂରାଜୀ), ୱେବ୍‌ ଆପ୍ଲିକେସନସ୍‌, ଗ୍ରା‌ଫିକ୍ସ, ଅଫିସ୍‌ କମ୍ୟୁନିକେସନ ପରି ଯେଉଁ ସବୁ ବିଷୟରେ କମ୍ ଛାତ୍ରଛାତ୍ରୀ ରହିଛନ୍ତି ସମ୍ପୃକ୍ତ ବିଷୟ ପରୀକ୍ଷା ଫେବ୍ରୁଆରିରୁ ଆରମ୍ଭ ହେବ । ଏହି ବିଷୟଗୁଡ଼ିକରେ ଅଧିକ ପ୍ରାକ୍ଟିକାଲ୍‌ ରହିଥିବା ବେଳେ କମ୍‌ ଥିଓରି ରହୁଛି । ଭାଷା, ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ‌ଭୂଗୋଳ, ଅର୍ଥନୀତି, ବିଜନେସ୍‌ ଷ୍ଟଡିସ୍‌, ଆକାଉଣ୍ଟାନ୍ସି ପରି ବିଷୟର ପରୀକ୍ଷା ମାର୍ଚ୍ଚ ମାସ‌େର ଅନୁଷ୍ଠିତ ହେବ ।

ସିବିଏସ୍‌ଇ ପକ୍ଷରୁ ଏବେ ଦଶମ ଓ ଦ୍ବାଦଶ ଶ୍ରେଣୀରେ ୨୪୦ଟି ବିଷୟ ରହିଛି । ଦ୍ବାଦଶ ଶ୍ରେଣୀ‌େର କେବଳ ଭାଷା ବିଷୟ ବାଧ୍ୟତାମୂଳକ ହୋଇଥିବାବେଳେ ୧୦ମ ଶ୍ରେଣୀରେ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟ ବାଧ୍ୟତାମୂଳକ। ଏବେ ସିବିଏସ୍‌ଇ ପରୀକ୍ଷା ମାର୍ଚ୍ଚ ମାସରେ ଆରମ୍ଭ ହୋଇ ୭ ସପ୍ତାହ ଧରି ଚାଲୁଛି । ଯେଉଁଥିପାଇଁ ମେ’ ୪ର୍ଥ ସପ୍ତାହରେ ଫଳ ପ୍ରକାଶ ପାଉଛି। ଜୁଲାଇ‌ରେ ପୁନଃଯାଞ୍ଚ ଶେଷ ହେଉଛି । ଏହି ସମୟ ମଧ୍ୟରେ କେତେକ ବିଶ୍ବବିଦ୍ୟାଳୟରେ ନାମଲେଖା ସରିଯାଉଛି। ତାହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପକ୍ଷରୁ ଏଥର ପରୀକ୍ଷା ପଦ୍ଧତିରେ ପରିବର୍ତନ ଆଣିବାକୁ ନିଷ୍ପତ୍ତି ନିଆଯାଇଛି ।