ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ଅଧିକାରୀ ପଶିବା ଘଟଣା ! ଆଜି ସୁପ୍ରିମକୋର୍ଟରେ ଶୁଣାଣି
କନକ ବ୍ୟୁରୋ : ହାଇକୋର୍ଟ ବିଚାରପତି ସି.ଆର ଦାସଙ୍କ ଘରେ ସିବିଆଇ ଅଧିକାରୀ ପ୍ରବେଶ ଉଦ୍ୟମ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ହାଇକୋର୍ଟ ବାର ଆସୋସିଏସନ ଏ ବାବଦରେ ଗତମାସ ୨୨ ତାରିଖରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲା । ହାଇକୋର୍ଟ ରାଜ୍ୟ ସରକାର, କେନ୍ଦ୍ର ସରକାର ସିବିଆଇ ସମେତ ୧୦ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିଲେ । ତେବେ ସିବିଆଇ ଏହି ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆବେଦନ କରି ସୁପ୍ରିମକୋର୍ଟ ଯାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମକୋର୍ଟ ଗତ ୧୩ ତାରିଖରେ ହାଇକୋର୍ଟର ଶୁଣାଣି ଉପରେ ରୋକ ଲଗାଇବା ସହ ହାଇକୋର୍ଟ ବାର ଆସୋସିଏସନକୁ ନୋଟିସ ଜାରି କରଥିଲେ । ତେବେ ମିଳିଥିବା ଖବର ଅନୁସାରେ, ଆଜି ଜବାବ ଦାଖଲ ପାଇଁ ବାର ଆସୋସିଏସନ ଅଧିକ ସମୟ ମାଗିପାରେ । ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଚଢଉ ପାଇଁ ବାହାରିଥିବା ସିବିଆଇ ଟିମ ହାଇକୋର୍ଟର ପୂର୍ବତନ ବିଚାରପତି କୁଦୁସିଙ୍କ ଘର ଭାବି ବିଚାରପତି ସି. ଆର ଦାସଙ୍କ ଘରେ ପଂହଚିବାକୁ ଉଦ୍ୟମ କରିଥିଲେ । ଏହା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।