ପୁଣି ସକ୍ରିୟ ହେଲା ସିବିଆଇ : ଅଫିସରଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପାଖରେ ପହଞ୍ଚିଲା ତଦନ୍ତ

44

କନକ ବ୍ୟୁରୋ : ଦୀର୍ଘଦିନର ନୀରବତା ପରେ ଓଡିଶାକୁ ପୁଣି ଫେରିଛି ସିବିଆଇ ଝଡ଼ । ଯାହା ବଡଧରଣ ରାଜନୈତିକ ହଟଚମଟ ସୃଷ୍ଟି କରିଛି । ନିର୍ବାଚନୀ ବର୍ଷରେ ଯେଉଁଠି ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏବେ ପୁଣି ସେହି ବିଜେଡି ସରକାରଙ୍କ ପର୍ଯ୍ୟଟନ ବିଭାଗ ସହ ସି-ସୋର ଲିଙ୍କ ନେଇ ଖୋଳତାଡ ଆରମ୍ଭ କରିଛି ସିବିଆଇ । ସେପଟେ ଚିଟଫଣ୍ଡ ତଦନ୍ତ ସହ ସିବିଆଇ ସ୍କାନରରେ ଯୋଡି ହୋଇଯାଇଛି ବ୍ଲାକରୋଜ ଜାହାଜ ବୁଡି ଘଟଣା । କେଉଁ ଦିଗରୁ ତଦନ୍ତ ଆରମ୍ଭ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, କାହାକୁ ଜେରା ପାଇଁ ଡାକିବ ତାକୁ ନେଇ ଛନକା ପସିଛି ।

ସି-ସୋର ଲିଙ୍କରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗରିଫଦାରି ପରଠାରୁ ଶିଥିଳ ପଡିଥିବା ସିବିଆଇ ତଦନ୍ତ ପୁଣି ସକ୍ରିୟ ହୋଇଛି । ଯାହା ନିର୍ବାଚନୀ ବର୍ଷରେ ରାଜନୈତିକ ହଲଚଲ ସୃଷ୍ଟି କରିଛି । ପର୍ଯ୍ୟଟନ ବିଭାଗ ସହ ସି-ସୋର ଚିଟଫଣ୍ଡ ସଂସ୍ଥା କରିଥିବା ଚୁକ୍ତି ବାବଦରେ ଅଧାରେ ଅଟକିଥିବା ଛାନଭିନ ଆଗକୁ ବଢୁଛି । ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସହ ଓଟିଡିସିର ପୂର୍ବତନ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ରାୟଙ୍କୁ ପଚରାଉଚରା କରାଯାଇଛି । ଏପରିକି ତତ୍କାଳୀନ ପର୍ଯ୍ୟଟନ ସଚିବ ପରାଗ ଗୁପ୍ତାଙ୍କୁ ବି ସିବିଆଇ ସମନ କରିଥିବା ଜଣାପଡିଛି ।

Source; img.etimg.com/thumb

– କଟକରେ ଏକ ନୌକାବିହାର ପ୍ରକଳ୍ପ ପାଇଁ ଚୁକ୍ତି କରିଥିଲା ସି-ସୋର କମ୍ପାନି
– ଖୋର୍ଦ୍ଧା ଅଟ୍ରିରେ ଗେଷ୍ଟ ହାଉସ ପରିଚାଳନା ପାଇଁ ପର୍ଯ୍ୟଟନ ବିଭାଗରୁ ଅନୁମତି ପାଇଥିଲା

ସିସୋର ସହ ବୁଝାମଣା ପୂର୍ବରୁ କମ୍ପାନି ବାବଦରେ ସରକାର ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ କି ନା, ସେ ନେଇ ଖୋଳତାଡ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏହି ମାମଲାରେ ସିବିଆଇ ପୂର୍ବରୁ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ରାଜନୈତିକ ସଚିବ ଦିଲ୍ଲୀପ ମିଶ୍ରଙ୍କୁ ଡାକି ପଚରା ଉଚରା କରିଥିଲା । ତେଣୁ ଅଫିସରଙ୍କ ପରେ କେଉଁ ନେତାଙ୍କ ପାଳି ପଡିବ ତାକୁ ନେଇ ଆଶଙ୍କା ବଢୁଛି ।

ବଡକଥା ହେଉଛି କେବଳ ଚିଟଫଣ୍ଡ ମାମଲା ନୁହେଁ ବର୍ଷବର୍ଷ ଧରି ନଜର ଆଢୁଆଳରେ ରହିଯାଇଥିବା ବ୍ଲାକରୋଜ ବୁଡି ଘଟଣାର ପ୍ରାୟ ୯ବର୍ଷ ପରେ ଛାନଭିନ ଆରମ୍ଭ କରିଛି ସିବିଆଇ । ବ୍ଲାକରୋଜ ଜାହାଜ ବୁଡି ଘଟଣାର ଅପରାଧିକ ଦିଗ ସହିତ ରାଜନୈତିକ ଦିଗକୁ ମଧ୍ୟ ସିବିଆଇ ତଦନ୍ତ କରିବ ବୋଜି ଜଣାପଡିଛି । ବିଶେଷ କରି ଏହି ଘଟଣାରେ ସିବିଆଇ କାହାକୁ ଡାକିବ, କେଉଁ ଦିଗରୁ ତଦନ୍ତ ଆରମ୍ଭ କରିବ ତାକୁ ନେଇ ଛନକା ପସିଛି ।

ପଂଚାୟତ ନିର୍ବାଚନ ପୂର୍ବରୁ ସକ୍ରିୟ ଥିବା ସିବିଆଇ ତଦନ୍ତ ଅଚାନକ ନିର୍ବାଚନ ସରିବା ପରେ ଶିଥିଳ ପଡିଗଲା । ଆଉ ଏବେ ଯେତେବେଳେ ୨୦୧୯ ନିର୍ବାଚନ ମୁଣ୍ଡ ଉପରେ ଠିକ ସେତିକିବେଳେ ପୁଣି କ୍ରିୟାଶୀଳ ହୋଇଛି । ଯାହାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । କାରଣ ସୁପ୍ରିମକୋର୍ଟ ବି ସିବିଆଇର କାର୍ଯ୍ୟଧାରାରେ ନକାରାତ୍ମକ ଟିପ୍ପଣୀ କରିସାରିଛନ୍ତି ।

ସେପଟେ ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜାମିନ ମିଳିଛି । ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଭୁବନେଶ୍ୱରର ଝାରପଡା ଜେଲରେ ରହୁଥିବା ସାଂସଦ ହାଂସଦା ଏବେ ଜେଲରୁ ମୁକୁଳିବା ନେଇ ବାଟ ଫିଟିଛି । ପ୍ରାୟ ସାଢେ ୩ବର୍ଷ ଜେଲରେ ରହିବା ପରେ ହାଁସଦାଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି । ରାମଚନ୍ଦ୍ର ହାଁସଦା ୨୦୧୪ରେ ମୟୂରଭଞ୍ଜରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ନବଦିଗନ୍ତ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଯାଇଥିଲେ । ତାଙ୍କ ଘରୁ ସିବିଆଇ ରେଡ ସମୟରେ ୨୮ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହି ଘଟଣା ସିବିଆଇର ସନ୍ଦେହକୁ ବଢାଇ ଦେଇଥିଲା । ଏହାପରେ ୨୦୧୪ ନଭେମ୍ବର ପ୍ରଥମ ସପ୍ତାହରେ ତାଙ୍କୁ ଗିରଫ କରିଥିଲା ସିବିଆଇ ।