ଓଲିଉଡକୁ ଫେରିଲା କାଷ୍ଟିଂକାଉଚ : କାମ ବାହାନାରେ ମଡ଼େଲଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ପ୍ରଯୋଜକ

541

କନକ ବ୍ୟୁରୋ : ଓଲିଉଡକୁ ପୁଣି ଫେରିଲା କାଷ୍ଟିଂକାଉଚ । ଏଭଳି ସଙ୍ଗୀନ ଅଭିଯୋଗ ଆଣି ମୁହଁ ଖୋଲିଛନ୍ତି କଟକର ଜଣେ ମଡେଲ । ୱେବ୍ ସିରିଜରେ କାମ ଦେବାକୁ କହି ମଡ଼େଲଙ୍କୁ ଶାରୀରିକ ଶୋଷଣ କରିଛନ୍ତି ପ୍ରଯୋଜକ । ପ୍ରଥମେ ନେଟଫ୍ଲିକ୍ସ ପରି ବଡ଼ ସଂସ୍ଥା ସହ କାମ କରିଥିବା କହି ମଡ଼େଲଙ୍କ ବିଶ୍ୱାସ ଜମାଇଥିଲେ । ଦିନକୁ କାମ ବାବଦକୁ ୧୦ ହଜାର ଦିଆଯିବ ବୋଲି କୁହାଯାଇଥିଲା । କେବଳ ଏତିକି ନୁହେଁ ୱେବସିରିଜ ସହ ବଲିଉଡରେ ମଧ୍ୟ କାମ କରିବାର ସୁଯୋଗ ମିଳିବ ବୋଲି ମଡ଼େଲଙ୍କୁ କୁହାଯାଇଥିଲା । ହେଲେ ପ୍ରତିବଦଳରେ ପ୍ରଯୋଜକଙ୍କୁ ଖୁସ୍ କରିବା ପାଇଁ ପଡ଼ିବ । ପ୍ରଯୋଜକ ଜେଡି ରାଉତ ମଡ଼େଲଙ୍କୁ କହିଥିଲେ, କେବଳ ବୋଲଡ ସିନ ଦେଲେ ହେବନି, ବରଂ ଗ୍ଲାମର ଲାଇନରେ ପାଦ ରଖିବାକୁ ହେଲେ ଉଲଗ୍ନ ହୋଇ ର‌୍ୟାମ୍ପରେ ଚାଲିବାକୁ ପଡିବ ।

କାମ ଦେବା ଆଳରେ ଶୋଷଣର ଶିକାର ହୋଇଛନ୍ତି କଟକର ଜନୈକା ମଡ଼େଲ । ସହିଦନଗରରେ ଥିବା ଏକ ଷ୍ଟୁଡ଼ିଓରେ ଚାଲିଛି କାଷ୍ଟିଂକାଉଚର କଳାକାରନାମା । ଚଳଚିତ୍ର ଜଗତରେ ପାଦ ଥାପିବା ପାଇଁ ଯେ ଏତେ ବଡ ମୁଲ୍ୟ ଦେବାକୁ ପଡିବ ତାହା କେବେ ଚିନ୍ତା କରିନଥିଲେ ମଡେଲ ଜଣଙ୍କ । ନେଟଫ୍ଲିକ୍ସରେ ୱେବସିରିଜ ପାଇଁ ଜଣେ ଓଡିଆ ପ୍ରଯୋଜକ ଜେଡି ରାଉତ ଯୁବତୀଙ୍କୁ ରୁପେଲି ପରଦାରେ ହିରୋଇନ କରିବା ପାଇଁ ବଡ ବଡ ସ୍ୱପ୍ନ ଦେଖାଇଥିଲେ ।

ଦିନକୁ ଦରମା ୧୦ହଜାର ଟଙ୍କା । କିଛି ଏଭଳି ପ୍ରତିଶ୍ରୁତି ପରେ ମଡେଲ ପହଂଚିଥିଲେ ପ୍ରଡ୍ୟୁସରଙ୍କ ଷ୍ଟୁଡିଓରେ । ଆଉ ଷ୍ଟୁଡିଓ ଭିତରେ ଯାହା ଘଟିଲା ତାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । କାମ ବାହାନାରେ ମଡ଼େଲଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ପ୍ରଯୋଜକ । ଥରେ ନୁହେଁ ବାରମ୍ବାର ତାଙ୍କୁ ଏପରି କରିବା ପାଇଁ ପ୍ରବର୍ତ୍ତାଉଥିଲେ । କାମ ପାଇଁ ଏସବୁ ଜରୁରୀ ବୋଲି ମଡ଼େଲଙ୍କୁ ଭୁତାଉଥିଲେ ପ୍ରଯୋଜକ । ପ୍ରଯୋଜକ ଜେଡି ରାଉତ ତାଙ୍କୁ କହିଥିଲେ, ଗ୍ଲାମର ଲାଇନରେ ପାଦ ରଖିବାକୁ ହେଲେ ଉଲଗ୍ନ ହୋଇ ର‌୍ୟାମ୍ପରେ ଚାଲିବାକୁ ପଡିବ ଏବଂ ସିନେ ଜଗତରେ ଶାରୀରିକ ସମ୍ପର୍କ ରଖିବା ଅତି ସାଧାରଣ କଥା । ଓଲିଉଡ଼ ଓ ବଲିଉଡ଼ ସିନେ ଜଗରେ ଏହା ନିତିଦିନିଆ କଥା ।

ଏହି ଘଟଣା ପରେ ଯୁବତୀ ଜଣଙ୍କ ଥାନାରେ ମାମଲା ଦାୟର କରି ପୁରା କାହାଣୀ ବୟାନ କରିଛନ୍ତି । ଆଉ ଏହି କାହାଣୀ ଶୁଣି ପୋଲିସ ବି ହତବାକ ହୋଇଯାଇଛି । ତେବେ ଏଇଠି ପ୍ରଶ୍ନ ଉଠୁଛି କାମ ପାଇଁ ସାଲିସ୍ କରିବାକୁ କିପରି ରାଜି ହୋଇଗଲେ ମଡ଼େଲ ? ଏଭଳି କାହାଣୀ ଶୁଣିଲେ ସିନେମା ଜଗତରେ ପାଦ ଥାପିବା ପାଇଁ ଚାହୁଁଥିବା ଯେକୌଣସି ଯୁବତୀ ଭୟରେ ଥରିଉଠିବ ।