କ୍ୟାସଲେସ୍ କାରବାରକୁ ନେଇ ୫୦ ଦିନ ହେବ ଅଚଳ ସବରେଜିଷ୍ଟ୍ରାର ଅଫିସ୍ !

33

କନକ ବ୍ୟୁରୋ : କ୍ୟାସଲେସ୍ କାରବାରକୁ ନେଇ ପ୍ରାୟ ୫୦ ଦିନ ହେବ ଅଚଳ ହୋଇପଡିଛି ସବରେଜିଷ୍ଟ୍ରାର ଅଫିସ୍ । ଅଫିସ ଖୋଲା ଅଛି, ଅଫିସର ଆସୁଛନ୍ତି ହେଲେ ସରକାରୀ କଟକଣା ଯୋଗୁଁ କାମ ଆଗେଇ ପାରୁନାହିଁ । କ୍ୟାସଲେସ୍ ବ୍ୟବସ୍ଥାକୁ ନେଇ ଦୀର୍ଘ ୫୦ ଦିନ ଧରି ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କ୍ୟାସଲେସ୍ ବ୍ୟବସ୍ଥା ଲାଗୁ ନେଇ ସରକାର ନିଜ ଜିଦରେ ଅଟଳ ଥିବାବେଳେ ଏହାକୁ ହଟାଇବା ପାଇଁ ମୋହରିର ତଥା ଆଇନଜୀବୀମାନେ ଦାବି କରିଛନ୍ତି । ଅନ୍ୟପଟେ ଜମିବାଡି କିଣାବିକାରେ ଏ ପ୍ରକାର ଅଚଳାବସ୍ଥା ଦୂର କରିବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଜି ଏନେଇ ହାଇକୋର୍ଟ ଶୁଣାଣି କରିବେ ।

ସବରେଜିଷ୍ଟ୍ରାର ଅଫିସରେ ନଗଦ ବ୍ୟବସ୍ଥା ଉଛେଦ ପାଇଁ ରାଜ୍ୟ ସରକାର ଗତ ଅଗଷ୍ଟ ମାସରେ ନିଷ୍ପତି ନେଇଥିଲେ । ଏବଂ ସେପ୍ଟେମ୍ବର ପହିଲାରୁ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାକୁ ବିରୋଧ କରି ଧର୍ମଘଟ ଜାରି ରଖିଛନ୍ତି ମୋହରିର ସଂଘ । ଫଳରେ ଠପ୍ ହୋଇଯାଇଛି ଜମି କିଣାବିକା । ଏହାଦ୍ୱାରା ସରକାରଙ୍କର ଦୈନିକ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ଅଭିଯୋଗ ହୋଇଛି ।