ଅଦିନିଆ ରଥଯାତ୍ରାକୁ ବିରୋଧ : ପୁରୀ ଓ ରାଉରକେଲାରେ ଇସ୍କନ ବିରୋଧରେ ଏତଲା, କାର୍ଯ୍ୟାନୁଷ୍ଠାନ ଦାବି କଲା ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଞ୍ଚ

417

କନକ ବ୍ୟୁରୋ : ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧ । ଆସନ୍ତା ନଭେମ୍ବର ମାସରେ ଲୁଧିଆନା ଇସ୍କନ ପକ୍ଷରୁ ରଥଯାତ୍ରା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ବିରୋଧ କରି ପୁରୀ ସିଂହଦ୍ୱାର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ସଂସ୍କୃତିକୁ ବିକୃତ ଓ ଅପମାନିତ କରୁଥିବା ଅଭିଯୋଗ କରି ପୁରୀ ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ପକ୍ଷରରୁ ଦୁଇଟି ମାମଲା ରୁଜୁ ହୋଇଛି । ଲୁଧିଆନା ଇସ୍କନ ମୁଖ୍ୟ ଅମିତ ଗର୍ଗଙ୍କ ବିରୋଧରେ ଏହି ଦୁଇଟି ମାମଲା ରୁଜୁ ହୋଇଛି । ସେହିପରି ଅନୁରୁପ ଭାବରେ ରାଉକେଲାରେ ମଧ୍ୟ ଏହାକୁ ନେଇ ଗୋଟିଏ ମାମଲା ରୁଜୁ ହୋଇଛି । ଲିଡ୍ ରାଉକେଲା ପକ୍ଷରୁ ଛେଣ୍ଡ ଥାନାରେ ଏହି ମାମଲା ରୁଜୁ ହୋଇଛି ।

ଅଭିଯୋଗକାରୀ ଏତଲାରେ ଦର୍ଶାଇଛନ୍ତି ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଛି । କିନ୍ତୁ ତିଥି ନଥାଇ ଅଦିନରେ ରଥଯାତ୍ରା ଆୟୋଜନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ କରୁଛନ୍ତି ଇସ୍କନ କର୍ତୁପକ୍ଷ । ଏହାଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିବା ସହ ହିନ୍ଦୁମାନଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି ଧର୍ମ ବିରୋଧୀଙ୍କ ବିରୋଧରେ ମାମଲା ରୁଜୁ କରି ତୁରନ୍ତ ଗିରଫ କରିବାକୁ ଏତଲାରେ ଦାବି କରିଛନ୍ତି । ଗତ ବିଧାନସଭା ଅଧିବେଶନ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।କହିଥିଲେ ଜଗନ୍ନାଥ ସଂସ୍କୃତି ପ୍ରଚାର ପସାର କରିବା ଭଲ କଥା କିନ୍ତୁ ଅଦିନିଆ ରଥଯାତ୍ରା କରିବା ଠିକ୍ ନୁହେଁ ।