ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର : ନାମାଙ୍କନ ସମୟରେ ଦାଖଲ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ

471

କନକ ବ୍ୟୁରୋ : ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର ହୋଇଛି । ନାମାଙ୍କନ ସମୟରେ ଦାଖଲ ସତ୍ୟପାଠରେ ତଥ୍ୟ ଲୁଚାଇଥିବାରୁ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଇ ଏହି ମାମଲା ରୁଜୁ ହୋଇଛି  । ବାଲେଶ୍ବର ଅଞ୍ଚଳର ଜଣେ ସାଧାରଣ ଭୋଟର ମହମ୍ମଦ ସହିରୁଲ ହକଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ବିଜେପି ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ ନାମାଙ୍କନ ଦାଖଲବେଳେ ଦେଇଥିବା ସତ୍ୟପାଠ ସଂପୂର୍ଣ୍ଣ ନୁହେଁ । ଏଥିରେ ସେ ସଂପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି ।

ଅନେକ ତଥ୍ୟ ଲୁଚାଇଛନ୍ତି । ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା, ସଂପତ୍ତି ଓ ଅନ୍ୟ କେତେକ ପ୍ରସଂଗରେ ସେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନାହାନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିଲେ ନିର୍ବାଚନ ଫଳାଫଳ ରଦ୍ଦ ହେବ । ଏପରି ପରିସ୍ଥିତିରେ ସାଂସଦ ଭାବେ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି ।