ପୃଥିବୀର ବାୟୁମଣ୍ଡଳରେ ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ପରିମାଣ ରେକର୍ଡ ସ୍ତର ଛୁଇଁଛି । ୨୦୧୬ ମସିହାରେ ଏହା ଏପରି ବର୍ଦ୍ଧିତ ହାରରେ ବଢ଼ିଚାଲିବା ସହ ତାହା ବଜାୟ ରହିଛି । ଲକ୍ଷ ଲକ୍ଷ ବର୍ଷ ଭିତରେ ମଧ୍ୟ ଏଭଳି ସ୍ଥତିି ଦେଖାଦେଇନଥିଲା । ଏହାର ପରିଣତି ସ୍ୱରୂପ ପୃଥିବୀର ସାମଗ୍ରିକ ତାପମାତ୍ରା ୩ ଡିଗ୍ରି ସେଲ୍ସିଅସ୍ ବଢ଼ିଯିବା ସହ ସମୁଦ୍ର ପତନ ୨୦ ମିଟର ଅଧିକ ଉଚ୍ଚ ହୋଇଯିବ । ଜାତି ସଂଘର ବିଶ୍ୱ ପାଣିପାଗ ନିର୍ଣ୍ଣୟ ସଂସ୍ଥା ଉପଲବ୍ଧ ତଥ୍ୟକୁ ଭିତ୍ତି କରି ସୋମବାର ଏଭଳି ଆଶଙ୍କା ପ୍ରକଟ କରିଛି ।
ଓ୍ଵାର୍ଲ୍ଡ ମେଟେରୋଜିକାଲ୍ ଅର୍ଗାନାଇଜେସନ୍ ତାହାର ବାର୍ଷିକ ସବୁଜ ବାଷ୍ପ ବିବରଣୀ ଉପସ୍ଥାପନରେ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ୨୦୧୫ ମସିହାରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ୪୦୦ ପିପିଏମ୍(ପାର୍ଟ୍ସ ପର୍ ମିଲିଅନ୍) ରହିଥିବା ବେଳେ ୨୦୧୬ ବେଳକୁ ତାହା ୪୦୩.୩ ପିପିଏମ୍ରେ ପହଞ୍ଚିଛି । ଏଇ ବର୍ଷକ ଭିତରେ ଅଙ୍ଗାରକାମ୍ଳ ବୃଦ୍ଧି ହାର ଗତ ଦଶନ୍ଧି ଭିତରେ ହୋଇଥିବା ବୃଦ୍ଧି ହାର ଠାରୁ ପ୍ରାୟ ୫୦ ପ୍ରତିଶତ ଦ୍ରୁତତର ରହିଛି । ବିଶ୍ୱରେ କଳକାରଖାନା ବିକଶିତ ହେବା ପୂର୍ବ ସ୍ଥିତିର ଅଙ୍ଗାରକାମ୍ଳ ସ୍ତର ଠାରୁ ବର୍ତ୍ତମାନର ସ୍ତର ୪୫ ପ୍ରତିଶତ ଅଧିକ ରହିଛି ।
ଖଣିଜ ତୈଳ, କୋଇଲା, ସିମେଣ୍ଟ ଆଦିର ବ୍ୟାପକ ବ୍ୟବହାର ସାଙ୍ଗକୁ ବିକ୍ଷିପ୍ତ ଜଙ୍ଗଲକଟାର ପ୍ରଭାବ ହିଁ ୨୦୧୬ ମସିହା ବେଳକୁ ଏଭଳି ସ୍ଥିତି ପହଞ୍ଚାଇଛି । ଏଥି ସହିତ ଏଲ୍ ନିନୋର ପ୍ରଭାବ ମଧ୍ୟ ଅଙ୍ଗାରକାମ୍ଳ ସ୍ତର ବଢ଼ାଇବାରେ ଖୋରାକ ଯୋଗାଇଛି । ୧୯୯୦ ମସିହା ପରଠାରୁ ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ସବୁଜ ଗୃହ ବାଷ୍ପ ଦ୍ୱାରା ଉଷ୍ମୀକରଣ ପ୍ରକ୍ରିୟା ୪୦ ପ୍ରତିଶତ ବଢ଼ିଯାଇଛି । ଅନ୍ୟତମ ଉଷ୍ମକାରୀ ବାଷ୍ପ ମିଥେନ୍ ଓ ନାଇଟ୍ରସ୍ ଅକ୍ସାଇଡ୍ ପରିମାଣ ଗତବର୍ଷ ରେକର୍ଡ ସ୍ତର ଛୁଇଁଥିବା ଜଣାଯାଇଛି । ବୈଜ୍ଞାନିକଙ୍କ ଅନୁଧ୍ୟାନ ଅନୁଯାୟୀ, ତୁଷାର ଯୁଗର ଅବସାନ ପର ଠାରୁ ଅଙ୍ଗାରକାମ୍ଳ ବୃଦ୍ଧିହାର ଶହେ ଗୁଣ ଦ୍ରୁତତର ହୋଇଚାଲିଛି । ଅବଶ୍ୟ ସାଢ଼େ ତିନି ନିୟୁତ ବର୍ଷ ତଳେ ଅଙ୍ଗାରକାମ୍ଳ ସ୍ତର ୪୦୦ ପିପିଏମ୍ ଛୁଇଁଥିଲା । ସେତେବେଳେ ବି ଭୂପୃଷ୍ଠର ତାପମାତ୍ରା ବର୍ତ୍ତମାନ ଠାରୁ ୨ରୁ ୩ ଡିଗ୍ରି ସେଲ୍ସିଅସ୍ ଅଧିକ ରହିଥିଲା । ପରିଣତି ସ୍ୱରୂପ ସେତେବେଳେ ଗ୍ରିନ୍ଲ୍ୟାଣ୍ଡ୍ ଏବଂ ଆଣ୍ଟାର୍କଟିକାର ବରଫ ଖଣ୍ଡ ସବୁ ତରଳି ସମୁଦ୍ର ପତନ ବର୍ତ୍ତମାନର ପତନଠାରୁ ୧୦ରୁ ୨୦ ମିଟର ବଢ଼ିଯାଇଥିଲା ।
ତେଣୁ ସାମ୍ପ୍ରତିକ ସ୍ଥିତିରେ ଅନୁରୂପ ପରିଣତି ଆଶଙ୍କା ହିଁ ବିଶ୍ୱ ସମୁଦାୟକୁ ପ୍ରତିକାର ବିଚାର ପାଇଁ ଆହ୍ଵାନ କରିଛି । ୨୦୧୫ ମସିହା ପରିବେଶ ସଂକ୍ରାନ୍ତ ପ୍ୟାରିସ୍ ଜଳବାୟୁ ରାଜିନାମାକୁ ସମର୍ଥନ କରୁଥିବା ୧୯୫ଟି ଦେଶ ଆସନ୍ତା ମାସରେ ସେଥିପାଇଁ ଏକ ଜରୁରୀ ବୈଠକରେ ସମବେତ ହେବେ ବୋଲି ଜଣାଯାଇଛି । ସମ୍ଭାବ୍ୟ ବିପତ୍ତିରୁ ବର୍ତ୍ତିବା ପାଇଁ ଏହି ସମ୍ମିଳନୀରେ କିଛି ସହମତି ଭିତ୍ତିକ ପ୍ରତିକାର ମିଳିବ ବୋଲି ଆଶା କରାଯାଉଛି ।