କରୋନା ପାଇଁ ଚିନ୍ତାରେ କ୍ୟାପ୍ସିକମ ଚାଷୀ : ବିଲରେ ପଚୁଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ କ୍ୟାପ୍ସିକମ୍

723

କନକ ବ୍ୟୁରୋ : କରୋନା ପାଇଁ ରାଇରଙ୍ଗପୁର ଅଞ୍ଚଳର କ୍ୟାପ୍ସିକମ୍‌ ଚାଷୀମାନେ କାନ୍ଦିଲେଣି । ରାଜ୍ୟ ବାହାର ବଜାର ଉପରେ ନିର୍ଭରଶୀଳ ଏହି ଚାଷୀମାନେ ଏବେ ହାତଗୋଡ଼ ବାନ୍ଧି ବସିଛନ୍ତି । ଏମିତି ଜଣେ ଚାଷୀ ହେଉଛନ୍ତି ରାଇରଙ୍ଗପୁର ବିଶୋଇ ବ୍ଲକ ମଣଦା ଅଞ୍ଚଳର ସର୍ବେଶ୍ବର ବେହେରା । ପ୍ରାୟ ଅଢେଇ ଏକର ଜମିରେ ସେ କ୍ୟାପ୍ସିକମ୍‌ ଚାଷ କରିଥିଲେ । ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ଅମଳ ଆରମ୍ଭ ହେବା ପରେ ପ୍ରତି ଦୁଇ ଦିନ ଅନ୍ତରରେ ପଶ୍ଚିମବଙ୍ଗର ପାଂଶକୁଡ଼ା, ବାଲେଶ୍ବର ଓ ବାରିପଦା ବଜାରକୁ ପଠାଉଥିଲେ କ୍ୟାପ୍ସିକମ୍‌ । ସବୁ ପାଳିରେ ପ୍ରାୟ ୮ କ୍ବିଣ୍ଟାଲରୁ ଅଧିକ କ୍ୟାପ୍ସିକମ ଅମଳ କରୁଥିଲେ ସର୍ବେଶ୍ବର । ହେଲେ ଲକ୍‌ଡାଉନ୍‌ ପରଠାରୁ ସବୁ ବନ୍ଦ । ବିଲରେ ୧୫ କ୍ବିଣ୍ଟାଲରୁ ଅଧିକ କ୍ୟାପ୍ସିକମ୍‌ ପଚିଲାଣି । ଏବେ ମୋଟର ପମ୍ପ ଖରାପ ଯୋଗୁଁ ଜମିକୁ ପାଣି ବି ମାଡ଼ିପାରୁନି । କ୍ଷେତ ଉଜୁଡ଼ିଯିବା ଅବସ୍ଥାରେ।  ବଜାର ବନ୍ଦ ଥିବାରୁ ଗଛ ପାଇଁ ଖାଦ୍ୟସାର ଓ କୀଟନାଶକ ବ୍ୟବସ୍ଥା କରି ହେଉନାହିଁ ।

ସେହିପରି ବିଶୋଇ ବ୍ଲକ ରଳିଆବିନ୍ଧା ନିକଟସ୍ଥ ଚମ୍ବାଝରି ଗ୍ରାମର ଲାଲମୋହନ ବେହେରା ମଧ୍ୟ ଦୁଇ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରିଥିଲେ । ଏବେ ଲାଭ ତ ଦୂର କଥା ମୂଳ ଧରିବା ବି ଅସମ୍ଭବ ହୋଇପଡ଼ିଲାଣି। ତାଙ୍କ ପରି ଏକାଧିକ ଚାଷୀଙ୍କର ବର୍ତ୍ତମାନ ସମଦଶା । କରୋନା ଫାଶରେ ବିଲରେ ପଡ଼ି ପଡ଼ି ପଚୁଛି କ୍ୟାପ୍ସିକମ। ସ୍ଥାନୀୟ ବଜାରରେ ବେଶୀ ଚାହିଦା ନ ଥିବାରୁ ଅଧା ମୂଲ୍ୟରେ ଏହା ବିକ୍ରି ହୋଇପାରୁନି । ଉଦ୍ୟାନ କୃଷି ବିଭାଗର ପ୍ରୋତ୍ସାହନରେ ଏମାନେ କ୍ୟାପ୍ସିକମ୍‌ ଚାଷ ପ୍ରତି ଆଗ୍ରହ ଦେଖାଇଥିଲେ । ଏ ସମ୍ପର୍କରେ ରାଇରଙ୍ଗପୁର ଉଦ୍ୟାନକୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ମାନସିଂ ସୋରେନଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି ।