ବଢ଼ି ବଢ଼ି ଚାଲିଛି ରୋଗ, ଅସହାୟ ଅବସ୍ଥାରେ କର୍କଟ ଆକ୍ରାନ୍ତ ବୃଦ୍ଧା : ହାତ ଛାଡ଼ିଥିଲେ ପରିବାର ଲୋକ ଏବେ ୱାର୍ଡ଼ରୁ ମଧ୍ୟ ତଡ଼ିଦେଲେ ଡାକ୍ତର

39

କନକ ବ୍ୟୁରୋ : ଚିକିତ୍ସା ପାଇଁ କଟକ ଆଣି ପରିବାର ଲୋକ ଦେଢ ମାସ ତଳେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଛାଡି ପଳାଇଥିଲେ । ଏବେ ତାଙ୍କୁ ଓ୍ଵାର୍ଡରୁ ତଡ଼ି ଦେଇଛନ୍ତି ଡାକ୍ତର। ଫଳରେ ଗୁରୁତର ଅବସ୍ଥାରେ ଓ୍ଵାର୍ଡ ବାହାରେ ବାରଣ୍ଡାରେ ପଡିରହିଛନ୍ତି ବାଲେଶ୍ୱରର ଅସହାୟ କନକଲତା ଜେନା(୬୦) । ଦିନକୁ ଦିନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି ।

ସୂଚନା ଅନୁସାରେ, କନକଲତାଙ୍କ ପୁଅ ମରି ଯାଇଥିବା ବେଳେ ଝିଅର ବାହାଘର ହୋଇଯାଇଛି । ୭/୮ବର୍ଷ ତଳେ ରୋଷେଇ କରୁଥିବା ବେଳେ କନକଙ୍କ ମୁହଁରେ ପେଜ ପଡିଗଲା । ସେହି ପୋଡା ଘା’ ବଢି ଚାଲିଥିଲା । ସ୍ୱାମୀ ଚିକିତ୍ସା କଲେନି । ଅସୁସ୍ଥ ହେବାରୁ ସ୍ୱାମୀ ପର କରି ଦେବାପରେ କନକ ବାପଘରକୁ ଆସି ଭାଇମାନଙ୍କ ପାଖରେ ଆଶ୍ରୟ ନେଲେ । ସେମାନେ ଯାହା କିଛି ଚିକିତ୍ସା କରିଥିଲେ ବି ସେହି ପୋଡା ଘା’ର ଚିକିତ୍ସା ଠିକ୍‌ ଭାବରେ ହୋଇପାରିନଥିଲା । ଶେଷରେ ବାଲେଶ୍ୱରରେ ଡାକ୍ତର ଏହି ଘା’ କ୍ୟାନସର୍‌ ଆଡକୁ ଯାଉଛି ବୋଲି କହି କଟକର ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ରକୁ ନେବା ପାଇଁ ପରାମର୍ଶ ଦେଲେ । ଦୁଇ ଭାଇ କନକଲତାଙ୍କୁ ଧରି ଗତ ମାସ ୬ତାରିଖରେ ପହଞ୍ଚି ଥିଲେ ଆଚାର୍ଯ୍ୟ ହରିହର କେନ୍ଦ୍ରରେ ।

ସେଠାରେ ଆଶୁ ଚିକିତ୍ସା ବିଭାଗରେ କନକଲତାଙ୍କୁ ଛାଡିଦେଇ ଚାଲି ଯାଇଥିଲେ ଦୁଇଭାଇ । ଦେଢମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ତାଙ୍କୁ କେହି ଦେଖିବାକୁ ଆସୁନାହାନ୍ତି । ଏପଟେ ରୋଗଯନ୍ତ୍ରଣାରେ ଛଟପଟ ହେଉଥିବା କନକଲତାଙ୍କୁ ଠିକ୍‌ ଭାବରେ ଚିକିତ୍ସା କରାଯାଉନଥିବାରୁ କିଛି ସ୍ୱେଚ୍ଛାସେବୀ ପହଞ୍ଚି ପ୍ରତିବାଦ କରିବା ପରେ କାଜୁଆଲିଟି ଦାୟିତ୍ୱରେ ଥିବା ଡାକ୍ତର କେବଳ ଡ଼୍ରେସିଂ କରି ତାଙ୍କର କର୍ତ୍ତବ୍ୟ ସାରିଦେଲେ । କିନ୍ତୁ ପୁଣି ପ୍ରତିବାଦ ହେବାରୁ ବାୟୋପ୍‌ସି କରାଯିବା ପରେ କର୍କଟ ରୋଗ ବୋଲି ସ୍ୱଷ୍ଟ ହୋଇଥିଲା । ବେଡ୍‌ ନଂ ୧୩୦ରେ ଅସହାୟ କନକଲତା ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ଦୁଇଦିନ ହେଲା ତାଙ୍କୁ ଓ୍ଵାର୍ଡ ବାହାରକୁ ବାହାର କରିଦେଇଛନ୍ତି ।