ଦେଶରେ କଲ୍ ଡ୍ରପ୍ ସମସ୍ୟା ଜଟିଳ ରୂପ ଧାରଣ କରିଛି । ମୋବାଇଲ୍ କଂପାନିଗୁଡ଼ିକର ଦୁର୍ବଳ ନେଟଓ୍ଵାର୍କ ଏହାର ଏକ ପ୍ରମୁଖ କାରଣ । ମାତ୍ର ଏହାର ଅନ୍ୟ ଏକ କାରଣ ରହିଥିବା ମଧ୍ୟ ଜଣାପଡ଼ିଛି । ତାହା ହେଉଛି ନିମ୍ନ ମାନର ସ୍ମାର୍ଟଫୋନ୍ । ଦୂରସଂଚାର କଂପାନିଗୁଡ଼ିକ ନେଟଓ୍ଵର୍କ ଉନ୍ନତୀକରଣରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବା ସତ୍ତ୍ୱେ କଲ୍ ଡ୍ରପ୍ ସମସ୍ୟା ଦୂର ହୋଇନଥିଲା । ଫଳରେ ତୃତୀୟ ପକ୍ଷ ଏଜେନ୍ସି ଜରିଆରେ ଏହାର କାରଣ ଖୋଜିବାକୁ ପ୍ରୟାସ କରିଥିଲେ ।
କିଛି ଦୂରସଂଚାର କଂପାନିର ସେହି ପ୍ରୟାସରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା, ସେଥିରୁ ଜଣାପଡ଼ିଛି କେବଳ ନେଟଓ୍ଵାର୍କ ନୁହେଁ, ନିମ୍ନ ମାନର ସ୍ମାର୍ଟଫୋନ୍ ହେଲେ କଲ୍ ଡ୍ରପ୍ ସମ୍ଭାବନା ବଢ଼ିଯାଏ । ଟେଲିଆନାଲିସିସ୍ ଡଟ୍ କମ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ବ୍ୟବହାର ହେଉଥିବା ୨୩%ରୁ ଅଧିକ ସ୍ମାର୍ଟଫୋନ୍ ତ୍ରୁଟିପୂର୍ଣ୍ଣ ଏବଂ ଟେଲିକମ୍ ନେଟଓ୍ଵାର୍କ ପାଇଁ ତାହା ଅନୁପଯୁକ୍ତ । ଏହି ସ୍ମାର୍ଟଫୋନ୍ଗୁଡ଼ିକର ଡିଜାଇନ୍ ବହୁତ ଖରାପ, ନିମ୍ନ ମାନର ଉପକରଣ ବ୍ୟବହାର କରାଯାଇଛି ।
ଆଣ୍ଟିନାଠାରୁ ଆରମ୍ଭ କରି ଆରଏକ୍ସ ଏବଂ ଟିଏକ୍ସ (ରିସିଭର ଏବଂ ଟ୍ରାନ୍ସମିଟର) ଏବଂ ବ୍ୟାଟେରି ସମାଧାନ ପର୍ଯ୍ୟନ୍ତ ସବୁ କିଛି ନିମ୍ନ ମାନର ଯାହା ନେଟଓ୍ଵାର୍କର ଦକ୍ଷତାକୁ କମ୍ କରୁଛି ବୋଲି ସର୍ଭେରୁ ଜଣାପଡ଼ିଛି । କଲ୍ ଡ୍ରପ୍ ପାଇଁ ନିମ୍ନ ମାନର ଚାଇନିଜ୍ ଫୋନ୍ ଗୁଡ଼ିକୁ ଏଥିରେ ଦାୟୀ କରାଯାଇଛି । ଏହି ପରୀକ୍ଷଣ ୮୦୦୦ ସ୍ୱତନ୍ତ୍ର ସ୍ମାର୍ଟଫୋନ୍ ମଡେଲକୁ ଯାଞ୍ଚ କରିଥିଲା । ଏହି ପରୀକ୍ଷାରେ ୨୩% ୪ଜି ସ୍ମାର୍ଟଫୋନ୍ ଏବଂ ୧୮% ୩ଜି ସ୍ମାର୍ଟଫୋନ୍ ବିଫଳ ହୋଇଥିଲେ ଏବଂ ଏହା ମାନଦଣ୍ଡର ପାଖାପାଖି ମଧ୍ୟ ପହଂଚି ପାରିନଥିଲେ, ଫଳରେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ମୋଟ ଉପରେ ୧୭% ସ୍ମାର୍ଟଫୋନ୍ ଏହି ପରୀକ୍ଷାରେ ବିଫଳ ହୋଇଥିଲେ ।