‘ମୋତେ ନିଦ ହେଉନି…, କରୋନା ବଢ଼ାଇଛି ମାନସିକ ଅବସାଦ । ୧୦୪କୁ କଲ୍‌ କରି ପରାମର୍ଶ ନେଇ ସାରିଲେଣି ୫୦୦ ଜଣ ।

Advertisment
‘ମୋତେ ନିଦ ହେଉନି…, କରୋନା ବଢ଼ାଇଛି ମାନସିକ ଅବସାଦ । ୧୦୪କୁ କଲ୍‌ କରି ପରାମର୍ଶ ନେଇ ସାରିଲେଣି ୫୦୦ ଜଣ ।

କନକ ବ୍ୟୁରୋ : ‘ମୋତେ ନିଦ ହେଉନି…, ମନ ଭିତରେ ଆଶଙ୍କା ହେଉଛି , ମୁଁ କାଳେ କରୋନାରେ ଆକ୍ରାନ୍ତ ହେଇଯିବି କି? ମୁଁ ମରି ଯିବି କି? ଏଭଳି ସ୍ଥିତିରେ ମୋ ପରିବାର ଲୋକ କଣ କରିବେ ? ଏକଥା ଭାବି ଛାନିଆ ହେଉଛି। ଘରେ ବସି ବସି ଚିଡ୍‌ଚିଡା ହେବା ସହ ଭାରାକ୍ରାନ୍ତ ହେଉଛି…କଣ କରିବି?’ ଏଭଳି ପ୍ରଶ୍ନ କରୁଥିବା ଲୋକଙ୍କ ସଂଖ୍ୟା ଏବେ ବଢିବାରେ ଲାଗିଛି। ଏହାର ସମାଧାନ ବାଟ ବାହାର କରିଛନ୍ତି ଏବେ କର୍ତ୍ତୃପକ୍ଷ।

୧୦୪କୁ ଏଭଳି ପ୍ରଶ୍ନ ଆସିଲେ ତାହାର ଉତ୍ତର ଦେବା ପାଇଁ ମାନସିକ ବିଶେଷଜ୍ଞଙ୍କ ପାଖକୁ କଲ୍ ଯାଉଛି । ଯେଉଁ ଜିଲ୍ଲା ଦାୟିତ୍ବରେ ଯିଏ ଅଛନ୍ତି, ତାଙ୍କ ପାଖକୁ ସିଧାସଳଖ କଲ୍‌ ଯାଉଛି ।  ଦୁଇ ସପ୍ତାହ ଭିତରେ ଏଭଳି  ମାନସିକ ବଶେଷଜ୍ଞଙ୍କଠାରୁ ୫୦୦ ଜଣ ପରାମର୍ଶ ନେଇସାରିଲେଣି । ମୟୁରଭଞ୍ଜ, ବାରିପଦା, ବାଲେଶ୍ବର ଜିଲ୍ଲାରୁ ସବୁଠାରୁ ଅଧିକ ଫୋନ କଲ୍‌ ଆସୁଥିବାବେଳେ ନବରଙ୍ଗପୁର, ମାଲକାନଗିରିରୁ ଆଦୌ କଲ୍‌ ଆସି ନାହିଁ । ଅନ୍ୟପଟେ ଏହା ସହିତ ଏସ୍‌ସିବି ମାନସିକ ପ୍ରତିଷ୍ଠାନର ମଧ୍ୟ ଏକ ସ୍ବତନ୍ତ୍ର ଟୋଲ ଫ୍ରି ହେଲ୍ପ ଲାଇନ୍‌ ନମ୍ବର ୧୮୦୦୩୪୫୭୨୮୮ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ କାମ କରୁଛି । ଏହି ନମ୍ବର ଜରିଆରେ ରାଜ୍ୟର ଯେ କୌଣସି ଅଞ୍ଚଳର ବ୍ୟକ୍ତି ପରାମର୍ଶ ପାଇପାରିବେ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ ସୂଚନା ଦେଇଛନ୍ତି ।

କରୋନା ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି କରିଥିବା ବେଳେ ଏହାର ପ୍ରଭାବରେ ମାନସିକ ସନ୍ତୁଳନ ହରାଇ ବସୁଛନ୍ତି ଅନେକ ‌ବ୍ୟକ୍ତି । ସେମାନଙ୍କ ମଧ୍ୟରେ ଅନେକ ପୁରୁଣା ମାନସିକ ରୋଗୀ ଅଛନ୍ତି । ବିଶେଷ କରି ରାଜ୍ୟ ବାହାରେ ଫସି ରହିଥିବା ଓ ଗାଁକୁ ଫେରି ଆସିଥିବା ଅନେକ ଲୋକ ଏବେ ମାନସିକ ଦୁଶ୍ଚିନ୍ତାରେ । ଅନେକ ଲୋକଙ୍କୁ ଏଭଳି ସମୟରେ ରାତିରେ ନିଦ ମଧ୍ୟ ଠିକ୍‌ ଭାବରେ ହେଉନି । ଫଳରେ ଆଗକୁ ମାନସିକ ରୋଗ ଏକ ବଡ ସଙ୍କଟଜନକ ସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ଫଳରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏସ୍‌ସିବି ମାନସିକ ପ୍ରତିଷ୍ଠାନର ବିଶେଷଜ୍ଞଙ୍କୁ ନେଇ ଆରମ୍ଭ କରିଛନ୍ତି ନୂଆ ଯୋଜନା। 
ଯେଉଁଠି ମୋବାଇଲରେ ପରାମର୍ଶ ପାଇବେ ରୋଗୀ ଓ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥିବା ରୋଗୀ । ଏଥିପାଇଁ ୩୦ଟି ଜିଲ୍ଲା ପାଇଁ ପରାମର୍ଶଦାତାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କମିଟିରେ ମାନସିକ ରୋଗ ବିଶେଷଜ୍ଞ, ଚିକିତ୍ସା ମନୋବିଜ୍ଞାନୀ, ମାନସିକ ରୋଗ ପାଇଁ ସାମାଜିକ କର୍ମୀଙ୍କୁ ରଖାଯାଇଛି। ସେଥିରେ କେଉଁ ସମୟରେ କିଏ ପରାମର୍ଶ ପାଇଁ ଉପଲବ୍ଧ ରହିବେ, ସେମାନଙ୍କର ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି। ପ୍ରସ୍ତୁତ କରାଯାଇଥିବା ଡାଟାବେସ୍‌ ଅନୁସାରେ ସିଧାସଳଖ ସଂପୃକ୍ତ ଜିଲ୍ଲା ଦାୟିତ୍ବରେ ଥିବା ବିଶେଷଜ୍ଞ ଟିମ୍‌କୁ ଫୋନ କଲ୍‌ ଯାଉଛି ଓ ସେମାନେ ପରାମର୍ଶ ଦେଉଛନ୍ତି। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe