ଏଣିକି ମଣ୍ଡିରେ ଧାନ ବିକିବାର ତିନିଦିନ ଭିତରେ ଟଙ୍କା ପାଇବେ ଚାଷୀ : ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ

35

କନକ ବ୍ୟୁରୋ : ବାକି ରହିବନି ଧାନ ପଇସା । ଏଣିକି ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାର ମାତ୍ର ତିନି ଦିନ ମଧ୍ୟରେ ମିଳିବ ଟଙ୍କା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ରାଜ୍ୟ କ୍ୟାବିନେଟ୍ । ଆଜି ହୋଇଥିବା ବୈଠକରେ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କରେ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହ ନୀତିକୁ ମଞ୍ଜୁରୀ ମିଳିଛି । ଖରିଫ ଓ ରବି ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ ଟନ ସଂଗ୍ରହ ହେବ । ଏହାଠାରୁ ଅଧିକ ଧାନ ଯଦି ମଣ୍ଡିକୁ ଆସିବ ତାହା ମଧ୍ୟ ରାଜ୍ୟ ସରକାର କିଣିବେ । ନଭେମ୍ବର ୨୦୧୮ରୁ ଏପ୍ରିଲ ୨୦୧୯ ମଧ୍ୟରେ ଖରିଫ ଧାନ ଓ ରବି ଧାନ ମେ’ରୁ ଜୁନ ୨୦୧୯ ମଧ୍ୟରେ ସଂଗ୍ରହ କରାଯିବ । ଆଉ ଧାନ ଦେବାର ୩ ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ ଟଙ୍କା । ଟଙ୍କା ୨୪ ଘଂଟାରୁ ୭୨ ଘଂଟା ମଧ୍ୟରେ ଚାଷୀଙ୍କ ଆକାଉଂଟକୁ ଯିବ । ସାଧାରଣ ବଂଟନ ପାଇଁ ରହିବ ୨୩ ଲକ୍ଷ ଟନ ଚାଉଳ ।

ଏହାଛଡା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ବି ନୂଆ ଗାଇଡଲାଇନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଏହି ଯୋଜନାରମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆ ପ୍ରକଳ୍ପ ନିର୍ମାଣ କରିବା । ଅନୁମୋଦିତ ହୋଇଥିବା ପ୍ରକଳ୍ପର ଆବଶ୍ୟକୀୟ ଅର୍ଥ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ସଂପୃକ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଲାଭ ଓ କ୍ଷତି ଖାତାକୁ ମଞ୍ଜୁର କରାଯିବ । ଏହି ଯୋଜନା ପାଇଁ ୧୨ ହଜାର ୫ ଶହ କୋଟି ଟଙ୍କା ବରାଦ କରାଯାଇଛି । ଅର୍ଥ ଓଡିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା ନିୟମ-୨୦୧୮କୁ ଲାଗୁ କରିବାକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏଥି ଅନ୍ତର୍ଗତ କୃଷି ଓ ଖାଦ୍ୟ ଉତ୍ପାଦନ ସେବା ଶ୍ରେଣୀର ପୁନର୍ଗଠନ କରାଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ , କୃଷି ଜିଲ୍ଲା ଅଧିକାରୀ ଓ ବ୍ଲକ କୃଷି ଅଧିକାରୀ ପଦବୀ କ୍ୟାଡରରେ ଅନ୍ତର୍ଭୁକ୍ତ କରାଯାଇଅଛି ।