୨୦୨୨ ସୁଦ୍ଧା ଦେଶରେ ସୃଷ୍ଟି ହେବ ୪୦ ଲକ୍ଷ ନିଯୁକ୍ତି ସୁଯୋଗ : ନୂଆ ଦୂରସଂଚାର ନୀତିକୁ ମଂଜୁରୀ

59

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ ଗତକାଲି ଜାତୀୟ ଡିଜିଟାଲ କମ୍ୟୁନିକେସନ ନୀତି-୨୦୧୮କୁ ମଂଜୁରୀ ଦେଇଛି । ଏହା ୨୦୧୨ର ଜାତୀୟ ଟେଲିକମ ନୀତି ବଦଳରେ ଲାଗୁ ହେବ । ୨୦୨୨ ସୁଦ୍ଧା ଟେଲିକମ କ୍ଷେତ୍ରରେ ପ୍ରାୟ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ ନିବେଶ ହେବା ସହ ଓ ପ୍ରାୟ ୪୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏ ସଂପର୍କରେ ସୂଚନ ଦେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଯେ ବିଶ୍ୱ ସ୍ତରରେ ଯୋଗାଯୋଗ କ୍ଷେତ୍ର ଅତି ଦ୍ରୁତ ଗତିରେ ବଦଳୁଛି । ୫ଜି, ଇଣ୍ଟରନେଟ ଅଫ ଥିଙ୍କସ, ମେସିନ-ଟୁ-ମେସିନ କମ୍ୟୁନିକେସ ଆଦି ନୂଆ ନୂଆ ଟେକନଲୋଜୀ ଆସିଛି । ଏହାକୁ ଦୃଷ୍ଟିରେ ରଖି ପୁରୁଣା ଟେଲିକମ ନୀତି ବଦଳାଇବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି । ଏହି ନୀତିରେ ରଖାଯାଇଥିବା ଲକ୍ଷ୍ୟ ଅନୁସାରେ ସମସ୍ତଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା, ଗ୍ଲୋବାଲ ଆଇସିଟି ର‍୍ୟାଙ୍କିଙ୍ଗରେ ଭାରତର ସ୍ଥାନରେ ଉନ୍ନତି ଆଣିବା ଲାଗି ଉଦ୍ୟମ କରାଯିବ ।

ସୂଚନା ପ୍ରଯୁକ୍ତି, ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡର ଭିତ୍ତିଭୂମିରେ ସମନ୍ବୟ ପାଇଁ ଭାରତୀୟ ଟେଲିଗ୍ରାଫ୍ ନୀତି ୧୮୮୫ ଓ ଅନ୍ୟାନ୍ୟ ନିୟମଗୁଡ଼ିକରେ ସଂଶୋଧନ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଶେଷ ଥର ପାଇଁ ୨୦୧‌୨ରେ ଟେଲିକମ୍ ନୀତି ଘୋଷଣା କରାଯାଇଥିଲା । ଏହା ପରେ ଏହି ଶିଳ୍ପରେ ଅନେକ ପରିବର୍ତ୍ତନ ହୋଇସାରିଲାଣି । ଆଗକୁ ୫ଜି ଓ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍‌ (ଆଇଓଟି) ଭଳି ଉଦୀୟମାନ ପ୍ରଯୁକ୍ତି କାର୍ଯ୍ୟକାରୀ ହେବାକୁ ଯାଉଛି । ସବୁ ବିଷୟକୁ ଦୃଷ୍ଟିରେ ରଖି ନୂଆ ଟେଲିକମ୍ ନୀତି ପ୍ରସ୍ତୁତ କରାଯାଇଛି ।

ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଯେ, ଆମେ ନୂଆ ନୀତିକୁ ଗ୍ରାହକ କୈନ୍ଦ୍ରୀକ ଓ ବ୍ୟବହାର କୈନ୍ଦ୍ରୀକ କରିଛୁ । ସମସ୍ତ ପ୍ରମୁଖ ବିକାଶ ଅନୁଷ୍ଠାନରେ ୫୦ ଏମ୍‌ବିପିଏସ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ପ୍ରଦାନ କରିବା ଓ ସବୁ ଅଞ୍ଚଳରେ ଟେଲିକମ୍ ସେବା ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସମସ୍ତଙ୍କ ପାଖରେ ବ୍ରଡ୍‌ବ୍ୟାଣ୍ଡ୍ ପହଞ୍ଚାଇବାକୁ ସରକାର ପ୍ରୟାସ କରିବେ । ଟେଲିକମ୍ ଶିଳ୍ପ‌କୁ ୧୦୦ ବିଲିଅନ୍ ଡଲାର ପୁଞ୍ଜିନିବେଶ ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ଟିକସ ଓ ଶୁଳ୍କର ଅନୁଧ୍ୟାନ କରିବେ । ବର୍ତ୍ତମାନ ଟେଲିକମ୍ କଂପାନିଗୁଡ଼ିକ ସେମାନଙ୍କ ମୋଟ ରାଜସ୍ବର ୩-୬% ଅର୍ଥରାଶି ସ୍ପେକ୍ଟ୍ରମ୍ ଫି’ ଓ ୮% ରାଶି ଲାଇସେନ୍ସ ଫି’ ବାବଦରେ ଟେଲିକମ୍ ବିଭାଗକୁ ପ୍ରଦାନ କରୁଛନ୍ତି ।‌