ଆର୍ଥିକ ଅନିୟମିତତା ମାମଲାରେ କର୍ଣ୍ଣାଟକ କଂଗ୍ରେସ ସଙ୍କଟମୋଚକ ଶିବକୁମାରଙ୍କ ଗିରଫ ପରେ ତାତିଲେ ସମର୍ଥକ : ବସ୍ ପୋଡ଼ିବା ସହ ରାସ୍ତା ଅବରୋଧ କଲେ କଂଗ୍ରେସ କର୍ମୀ

602
କନକ ବ୍ୟୁରୋ : ଚିଦାମ୍ୱରମଙ୍କ ପରେ ଇଡି ଜାଲରେ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା । କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଗିରଫଦାରୀ ପ୍ରତିବାଦରେ ଦିଲ୍ଲୀରୁ କର୍ଣ୍ଣାଟକ ଦେଖିବାକୁ ମିଳିଛି ବିରୋଧ । କିଛି ସ୍ଥାନରେ ଭଙ୍ଗାରୁଜା ମଧ୍ୟ ହୋଇଛି । ଦଳୀୟ କର୍ମକର୍ତ୍ତାମାନେ ବୁଧବାର କର୍ଣ୍ଣାଟକରେ ବନ୍ଦ ଡାକରା ଦେଇଛନ୍ତି । ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ବସ୍‌ରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିଛି ।
ଶିବକୁମାରଙ୍କୁ ଗିରଫ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ମେଡ଼ିକାଲ ଯାଞ୍ଚ ପାଇଁ ନେବା ବେଳେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଥିଲେ । ରାମନଗର ଅଂଚଳରେ ଦୁଇଟି ବସ୍‌ ଜାଳି ଦେଇଛନ୍ତି । କିଛି ବସ୍‌ ଉପରକୁ ପଥର ମାଡ଼ ମଧ୍ୟ କରିଛନ୍ତି । ହିଂସାକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ରାମନଗରରେ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ସାରା ରାଜ୍ୟରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଗତକାଲି ରାତିରେ ତାଙ୍କୁ ଆର୍ଥିକ ଅନିୟମିତତା ମାମଲାରେ ଗରିଫ କରିବା ପରେ ଡିକେ ଶିବ କୁମାରଙ୍କ ରକ୍ତଚାପ ବଢି ଯାଇଥିଲା । ଫଳରେ ଇଡିର ଗିରଫଦାରୀ ପରେ ଗତକାଲି ତାଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନା ବାହାରେ ମଧ୍ୟ ଶିବ କୁମାରଙ୍କ ସମର୍ଥନ ନାରାବାଜି କରିଛନ୍ତି । କଂଗ୍ରେସର ଏହି ସଂକଟମୋଚକଙ୍କ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛି କଂଗ୍ରେସ । ଚିଦାମ୍ୱରମଙ୍କ ପରି କଂଗ୍ରେସ ପାଇଁ ଟ୍ରବୁଲ୍ ସୁଟର ଥିଲେ ଡିକେ ଶିବ କୁମାର । ୨୦୧୭ରେ ଆୟକର ବିଭାଗ ଚଢାଉ ବେଳେ ତାଙ୍କ ଘରୁ ୮ କୋଟି ୫୯ ଲକ୍ଷର ନଗଦ ଟଙ୍କା ଜବତ ହୋଇଥିଲା । ଏହା ପରେ ତାଙ୍କର ୪ ଜଣ ସହ ଯୋଗୀଙ୍କ ଘରେ ମଧ୍ୟ ଚଢାଉ କରିଥିଲ । ଏହି ଆଧାରରେ ଶିବ କୁମାର ଓ ତାଙ୍କ ସହ ଯୋଗୀଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲ ।