ଆଜିି ଠାରୁ ରାଜ୍ୟରେ ଗଡିବ ଘରୋଇ ବସ । ବଢ଼ିବ ନାହିଁ ବସ ଭଡ଼ା । ସିଟ ସଂଖ୍ୟା ଅନୁଯାୟୀ ବସରେ ଯାତ୍ରା କରିବେ ଯାତ୍ରୀ । ସାମାଜିକ ଦୂରତା ଉପରେ ଦିଆଯିବ ଗୁରୁତ୍ୱ

352

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ଗଡିବ ଘରୋଇ ବସ । ସରକାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନେଇଛି ଘରୋଇ ବସ୍ ମାଲିକ ସଂଘ । କରୋନା ପାଇଁ ଥିବା ଗାଇଡଲାଇନକୁ ମାନି ସିଟ ସଂଖ୍ୟା ଅନୁସାରେ ଯାତ୍ରୀ ବସରେ ଯାତ୍ରା କରିବେ । ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବସରେ ସ୍ୱଛତା ପ୍ରତି ଧ୍ୟାନ ଦିଆଯିବ । ପୂର୍ବ ନିର୍ଦ୍ଧାରିତ ଭଡା ଅନୁଯାୟୀ ଯାତ୍ରୀ ଭଡା ଦେବେ ବୋଲି ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ତେବେ କେତେ ବସ୍ ଚାଲିବ ତାହା ସ୍ପଷ୍ଟ ଭାବେ କୁହାଯାଇନାହିଁ । ବହୁତ ଗାଡିର ଅବସ୍ଥା ଭଲ ନଥିବାରୁ ସ୍ୱାଭାବିକ ହେବାକୁ ୧୫ ଦିନ ସମୟ ଲାଗିବ ବୋଲି ସଂଘ ସମ୍ପାଦକ କହିଛନ୍ତି ।

ବସ୍ ଚଳାଇବାକୁ ରାଜ୍ୟ ସରକାର ପୂର୍ବରୁ ଅନୁମତି ଦେଇଥିଲେ ମଧ୍ୟ ମାଲିକ ସଂଘ ରାଜି ହୋଇନଥିଲା । ସଂଘର ବିଭିନ୍ନ ଦାବି ପୂରଣ କରିବାକୁ ଜିଦି ଧରିଥିଲେ । ପରିବହିନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘ କର୍ମକର୍ତାଙ୍କର ଆଲୋଚନା ପରେ ତିନି ମାସ ରୋଡ୍ ଟିକସ ଛାଡ କରିବାକୁ ସରକାର ଏକ ପ୍ରକାର ରାଜି ହୋଇଥିଲେ । ଏବଂ ଅନ୍ୟ ଦାବି ଗୁଡିକ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାପ ବୁଧବାର ଚଣ୍ଡିଖୋଲଠାରେ ଘରୋଇ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ପରେ ଆଜିଠାରୁ ବସ୍ ଚଳାଇବାକୁ ନିଷ୍ପତି ହୋଇଛି । ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି ।