ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ଗଡିବନି ଘରୋଇ ବସ : ପୂର୍ବ ଜିଦରେ ଅଟଳ ରହିଲା ରାଜ୍ୟ ବସ ମାଲିକ ସଂଘ,ଗ୍ରୀନ ଜୋନରେ ବସ ଚଳାଇବାକୁ ଅନୁମତି ଦେଇଥିଲେ ସରକାର

416

କନକ ବ୍ୟୁରୋ : ରାଜ୍ୟରେ ଗଡ଼ିବନି ବସ୍ । ବସ୍ ମାଲିକ ସଂଘ ବନାମ୍ ସରକାର ।  ଗ୍ରୀନ ଜୋନରେ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ପୂର୍ବ ଜିଦରେ ଅଟଳ ରହିଲେ ଘରୋଇ ବସ୍ ମାଲିକ ସଂଘ । ୫୦ ପ୍ରତିଶତ ଯାତ୍ରୀରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଏହି ସର୍ତ୍ତରେ ରାଜି ହେଉ ନାହାନ୍ତି ବସ୍ ମାଲିକ । ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ହେଁ ଏହା ସମ୍ଭବ ନୁହେଁ । କାରଣ ନୂଆ ଗାଇଡ଼ଲାଇନ୍ ଅନୁସାରେ ଗାଡ଼ି ଚଳାଚଳ ହେବାଦ୍ୱାରା ଅନେକ କ୍ଷତି ସହିବାକୁ ପଡ଼ିବ । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ କମ୍ ସଂଖ୍ୟାର ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲା ଘରୋଇ ବସ୍ ମାଲିକ ସଂଘ ।

ରାଜ୍ୟର ଗ୍ରୀନ ଜୋନରେ ଥିବା ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି ଜଗତସିଂହପୁର, କନ୍ଧମାଳ, ମାଲକାନଗିର, ମୟୁରଭଞ୍ଜ, ନବରଂଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ ଏବଂ ପୁରୀରେ ବସ୍ ଚଳାଚଳ କରିପାରିବ ବୋଲି ନିଷ୍ପତ୍ତି ହୋଇଥିଲା । ଗୋଟିଏ ଗେ୍ୀନ୍ ଜୋନ୍ ଜିଲ୍ଲାରୁ ଆଉ ଗୋଟିଏ ଗ୍ରୀନ ଜୋନ୍ ଜିଲ୍ଲାକୁ ଯାଇପାରିବ ବସ୍ । ତେବେ, ଅନ୍ତଃ ଜିଲ୍ଲାଗୁଡ଼ିକ ପାଇଁ ଚଳାଚଳ କରୁଥିବା ଯାତ୍ରୀବାହୀ ବସର ରୁଟ୍ ମଧ୍ୟରେ କୌଣସି ରେଡ୍ କିମ୍ବା ଅରେଞ୍ଜ ଜିଲ୍ଲା ନଥିବ ବୋଲି ସ୍ପଷ୍ଟ କରିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର । ତେବେ ସିଟ ହାର ୫୦ ପ୍ରତିଶତ ଲୋକଙ୍କୁ ନେଇ ବସ ଚଳାଇବାକୁ ସରକାର କହିଥିଲେ । ସରକାରଙ୍କ ନିଷ୍ପତ୍ତି କ୍ରମେ କ୍ଷତି ହେଉଥିବାରୁ ଏଥିରେ ରାଜି ହୋଇନଥିଲେ ଘରୋଇ ବସ୍ ମାଲିକ ସଂଘ ।