କନକ ବ୍ୟୁରୋ : ରାଜ୍ୟରେ ଚାଲୁଥିବା ଘରୋଇ ବସ୍ ଗୁଡ଼ିକର ଭଡ଼ା ବୁଧବାର ଠାରୁ ପୁଣି ଥରେ ବଢ଼ିଛି । ଏଣିକି ଯାତ୍ରୀମାନଙ୍କୁ ଅଡିନାରୀ ବସ୍ରେ କିଲୋମିଟର ପିଛା ୬୭ ପଇସାରୁ ୬୮ ପଇସା ଦେବାକୁ ପଡ଼ିବ । ଏକ୍ସପ୍ରେସ୍ରେ କିଲୋମିଟର ପିଛା ୭୦ରୁ ୭୧ ପଇସାକୁ ଦେବାକୁ ପଡ଼ିବ । ସେହିପରି ଡିଲକ୍ସରେ ୯୫ରୁ ୯୭ ପଇସା ଦେବାକୁ ପଡ଼ିବାକୁ ଥିବା ବେଳେ ଏସି ଡିଲକ୍ସ ୧.୧୭ରୁ ୧.୧୯ ଭଡ଼ା ବୃଦ୍ଧି କରାଯାଇଛି ।
ବସ ଭଡ଼ା ବୃଦ୍ଧି ନେଇ ରାଜ୍ୟ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି, ଡିଜେଲ ଦର ଅତ୍ୟଧିକ ବୃଦ୍ଧି ହୋଇଥିବାରୁ ଘରୋଇ ବସ୍ରେ ଭଡ଼ା ବୃଦ୍ଧି କରିବାକୁ ପଡୁଛି । ବର୍ତମାନ ଡିଜେଲ ଦର ୭୦ ଟଙ୍କା ପଡୁଛି । ସେଥି ପାଇଁ ବାଧ୍ୟ ହୋଇ ଭଡ଼ା ବୃଦ୍ଧି କରିବାକୁ ପଡୁଛି । ସେ କହିଛନ୍ତି, ବସ ଭଡ଼ା ବୃଦ୍ଧି କରାଯିବା ଦ୍ୱାରା ଯାତ୍ରୀଙ୍କୁ ବାଧୁଛି । ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା କରିବା ଦରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ ଉପରୁ କିଛି ଶୁଳ୍କ ନେଇଗଲେ ଯାତ୍ରୀଙ୍କୁ କମ୍ ବସ ଭଡ଼ା ଦେବାକୁ ପଡ଼ନ୍ତା ।
ସୂଚନାଯୋଗ୍ୟ ପୂର୍ବରୁ ଗତ ଜାନୁଆରୀ ୩୦ରେ ଘରୋଇ ବସ୍ ଗୁଡ଼ିକରେ ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଥିଲା । ସେହି ସମୟରେ ଅଡିନାରୀ ବସ୍ଗୁଡ଼ିକରେ କିଲୋମିଟର ପିଛା ୬୬ ପଇସାରୁ ୬୭ ପଇସା କରାଯାଇଥିଲା । ସେହିପରି ଏକ୍ସପ୍ରେସରେ କିଲୋମିଟର ପିଛିା ୬୯ ପଇସାରୁ ୭୦ ପଇସା ବୃଦ୍ଧି କରାଯାଇଥିଲା ।