ପୁରୀରେ ଷଣ୍ଢ-ଗୋମାତାଙ୍କ ନିଆରା ବାହାଘର : ଆଦିବାସୀ ନୃତ୍ୟ, ପାଇକ ଆଖଡା, ଦୁଲଦୁଲି ସଂକୀର୍ତ୍ତନରେ କମ୍ପିଲା ବଡଦାଣ୍ଡ

294

କନକ ବ୍ୟୁରୋ : ପୁରୀରେ ଷଣ୍ଢ-ଗୋମାତା ବାହାଘର । ଗୋମାତାଙ୍କ ସହ ବାହାଘର ହୋଇଛି ବୃଷଭ ମହାରାଜଙ୍କର । ସେହେନାଇ ବାଜିବା ସହିତ ପାରମ୍ପରିକ ବାଦ୍ୟ ଶଂଖ, ସଂକୀର୍ତ୍ତନ ଓ ଦୁଲୁଦୁଲିରେ ଫାଟି ପଡୁଥିଲା ପୁରା ପରିବେଶ । ସିଂଘବାଜା, ପାଇକ ଆଖଡା ଓ ଆଦିବାସୀ ନୃତ୍ୟ ଦେଖିବାକୁ ମିଳିଥିଲା ପୁରୀ ବଡଦାଣ୍ଡରେ । ବଡ ଧୁମଧାମରେ ପୁରୀରେ ଆୟୋଜନ ହୋଇଛି ବୃଷଭ ଓ ଗୋମାତାଙ୍କ ବିବାହ । କୌଣସି ବଡବଡିଆଙ୍କ ବାହାଘର ଠାରୁ କମ ନଥିଲା ଏହି ବିବାହ ଉତ୍ସବ । କେବଳ ସେତିକି ନୁହେଁ, ବର ଯାତ୍ରୀ ଏବଂ ନିମନ୍ତ୍ରୀତ ଅତିଥି ମାନଙ୍କୁ ଆପ୍ୟାାୟିତ କରିବା ପାଇଁ ରୋଷେଇର ମଧ୍ୟ ବ୍ୟବସ୍ଥା ହୋଇଛି ।

ବୈଦିକ ରିତିନୀତି ଅନୁସାରେ ହୋଇଥିଲା ଏହି ବିହାଘର । ପାଞ୍ଚଶହରୁ ଅଧିକ ବରଯାତ୍ରୀ ନାଚଗୀତରେ ମସଗୁଲ ହୋଇଥିଲେ । ଯିଏ ବି ଏହି ବାହାଘର ରୋଷଣୀ ଦେଖୁଥିଲା ଆଖି ଲାଖି ଯାଉଥିଲା । ଅଗ୍ନିକୁ ସାକ୍ଷୀ ରଖି ସାତଜନମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଷଣ୍ଢ ଓ ଗୋମାତା । ବୃଷଭ ମହାରାଜ ଏକ ଟାଟା ଏସିରେ ଠିଆ ହୋଇ ଗୋମାତାଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଇଥିଲେ । ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧା ବାଲି ଠାରେ ବୃଷଭଙ୍କ ଆଡମ୍ବରପୂର୍ଣ୍ଣ ବିବାହ ଆୟୋଜନ କରାଯାଇଥିଲା ।

ଅୟୋଜକ କମିଟିର ସଂଯୋଜକ କହନ୍ତି, ଏହି ବିବାହ ଉତ୍ସଵ କେବଳ ଗୋମାତାଙ୍କ ସୁରକ୍ଷା ପାଇଁ କରାଯାଇଛି । ଗୋମାତା ସକଳ ଶକ୍ତିର ଆଧାର । ତେଣୁ ସେମାନଙ୍କ ସୁରକ୍ଷା ଜରୁରୀ । ଏହି ବାର୍ତ୍ତାନେଇ ଏଭଳି ବିବାହ ଉତ୍ସବ ଅୟୋଜନ କରାଯାଇଛି ।