କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ମହଙ୍ଗା ମାଡ । ଚଳିତ ବଜେଟରେ ମଧ୍ୟବିତଙ୍କୁ ଆଶ୍ୱସ୍ତି ନାହିଁ । ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଓ ସୁନା । ପେଟ୍ରୋଲ ଓ ଡିଜେଲ ଉପରେ ସେସ ବଢାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ୧ ଲିଟର ପେଟ୍ରୋଲ ଓ ଡିଜେଲ ପାଇଁ ୧ ଟଙ୍କା ଲେଖାଁଏ ସେସ ଲାଗିବ । ଫଳରେ ବିଭିନ୍ନ ସ୍ଥାନରେ ଟ୍ୟାକ୍ସ ଅନୁସାରେ ପେଟ୍ରୋଲ ଓ ଡିଜେଲର ଦର ଅଲଗା ଅଲଗା ହେବ । ସେହିଭଳି ମହଙ୍ଗା ହେବ ସୁନା । ଏଥିପାଇଁ ସୀମା ଶୁଳ୍କକୁ ୨.୫ ପ୍ରତିଶତ ବଢାଯାଇଛି । ଫଳରେ ଏଣିକି ମହଙ୍ଗା ହେବ ସୁନା । ସୁନା ଉପରେ ଏଣିକି ଅଧିକ ୨ ଦଶମିକ ୫ ପ୍ରତିଶତ ସୀମାଶୁଳ୍କ ଦେବାକୁ ପଡିବ । ପୂର୍ବରୁ ଏହା ୧୦ ପ୍ରତିଶତ ଥିଲା । ବର୍ତ୍ତମାନ ଏହା ୧୨. ୫ ପ୍ରତିଶତ ହେବ ।
କେବଳ ଏତିକି ନୁହେଁ ଏହି ବଜେଟରେ ଆୟକର ଛାଡ ସୀମା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା । ତେବେ ଅନ୍ତରୀଣ ବଜେଟ ଅନୁରୂପ ପୂର୍ଣ୍ଣାଙ୍ଗ ବଜେଟରେ ଅପରିବର୍ତିତ ରହିଛି ଆୟକର ସ୍ଲାବ । ଅର୍ଥାତ ଯଦି ଆପଣଙ୍କ ରୋଜଗାର ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥିବ ତେବେ ଦେବାକୁ ପଡିବନି କୌଣସି ଆୟ କର । ମାତ୍ର ଯଦି ବାର୍ଷିକ ଆୟ ଯୁକ୍ତ ରୋଜଗାର ୫ ଲକ୍ଷରୁ ଅଧିକ ହୋଇଥିବ ତେବେ ଆୟକର ସ୍ଲାବ ଅନୁସାରେ ଟିକସ ଦେବାକୁ ପଡିବ ।
ସେପଟେ ଧନୀ ଲୋକଙ୍କ ଉପରେ ଟିକସର ଅତିରିକ୍ତ ବୋଝ ବଢାଇଛନ୍ତି ସରକାର । ୨ କୋଟି ପର୍ଯ୍ୟନ୍ତ ରୋଜଗାର ଥିଲେ ପୂର୍ବଭଳି ଆୟକର ଦେବାକୁ ପଡିବ । ତେବେ ୨କୋଟିରୁ ୫ କୋଟି ପର୍ଯ୍ୟନ୍ତ ବାର୍ଷିକ ରୋଜଗାର ଉପରେ ୩ ପ୍ରତିଶତ ସରଚାର୍ଜ ଲାଗୁ କରାଯାଇଛି । ଯଦି ୫ କୋଟିରୁ ଅଧିକ ରୋଜଗାର ହେଉଥିବ ତେବେ ଦେବାକୁ ପଡିବ ୭ ପ୍ରତିଶତ ସରଚାର୍ଜ ।
ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର କିଣିବାରେ ଆସିଛି ଖୁସି ଖବର । ଶସ୍ତା ଘର କିଣୁଥିବା ମଧ୍ୟବିତଙ୍କ ପାଇଁ ଖୁସି ଖବର ରହିଛି । ଶସ୍ତା ଘର ପାଇଁ ବଜେଟରେ ଦେଢ ଲକ୍ଷ ରିହାତି ରହିଛି । ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କିଣିଲେ ଋଣ ଉପରେ ଅତିରିକ୍ତ ଦେଢ ଲକ୍ଷ ଟଙ୍କା ଛାଡ ମିଳିବ । ପୂର୍ବରୁ ଏଥିପାଇଁ ୨ ଲକ୍ଷ ଟଙ୍କାର ଟିକସ ଛାଡ ମିଳୁଥିଲା । ଏବେ ବଜେଟରେ ଆଉ ଦେଢ ଲକ୍ଷ ଟଂକାର ଟିକସ ଛାଡ କରିଛନ୍ତି କେନ୍ଦ୍ର ସରକାର । ଫଳରେ ମୋଟ୍ ଉପରେ ୪୫ ଲକ୍ଷ ଟଂକାର ଘର କିଣିଲେ ଏଥିରେ ସାଢେ ୩ ଲକ୍ଷର ଆୟକର ରିହାତି ମିଳିବ ବୋଲି ବଜେଟରେ କୁହାଯାଇଛି ।
ଶସ୍ତା ସାମଗ୍ରୀ ପୁରା ତାଲିକା . .
୪୫ ଲକ୍ଷର ଘର, ବିଦ୍ୟୁତ ଚାଳିତ ଗାଡି, ଚମଡା ସାମଗ୍ରୀ ଓ ପ୍ରତିରକ୍ଷା ଉପକରଣ ଆଦି ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଶସ୍ତା ହୋଇଛି ।
ମହଙ୍ଗା ସାମଗ୍ରୀ ତାଲିକା . . .
ମହଙ୍ଗା ହେବାକୁ ଥିବା ସାମଗ୍ରୀଗୁଡିକ ହେଲା ପେଟ୍ରୋଲ, ଡିଜେଲ ସୁନା, ବହି, ଅଟୋପାର୍ଟ୍ସ , ସିସିଟିଭି, ମାର୍ବଲ , ଟାଇଲ ଓ ପିଭିସି ପାଇପ ।