ଦେଶର ପ୍ରମୁଖ ସହର ଗୁଡ଼ିକରେ ଏପ୍ରିଲ ୨୦୨୦ରୁ ଉପଲବ୍ଧ ହେବ ବିଏସ୍-୬ ଇନ୍ଧନ : ଗାଡ଼ି ଚଳାଚଳ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ୮୦ ପ୍ରତିଶତ ପ୍ରଦୂଷଣ କମିବ

1,127
କନକ ବ୍ୟୁରୋ : ୨୦୨୦ ଏପ୍ରିଲ ପହିଲାରୁ ଦେଶର  ପ୍ରମୁଖ ସହର ଗୁଡ଼ିକରେ ମିଳିବ ବିଏସ୍-୬ ଇନ୍ଧନ । ଯଦ୍ୱାରା ଗାଡ଼ି ଚଳାଚଳ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ୮୦ରୁ ୯୦ ପ୍ରତିଶତ ରୋକାଯାଇ ପାରିବ । ଅନ୍ୟପଟେ କାର୍ବନ ପ୍ରଦୂଷଣକୁ ରୋକିବା ଦିଗରେ ଏହି ବିଏସ୍-୬ ଇନ୍ଧନ ଯଥେଷ୍ଟ ସହାୟକ ହେବା ସହ ଏହା ଇଂଜିନର ଜାଳେଣି ଦକ୍ଷତା ମଧ୍ୟ ବଢ଼ାଇବ  । ଏଥିପାଇଁ କେନ୍ଦ୍ର ସରକାର ୬୦ ହଜାର କୋଟି ଟଙ୍କା ନିବେଶ କରିଛନ୍ତି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ତଥା ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଗତ ମଙ୍ଗଳବାର ଦିନ ଜୟପୁରରେ ଏ ସମ୍ମନ୍ଧରେ ସୂଚନା ଦେଇଛନ୍ତି ।
ଦେଶରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ସହରାଞ୍ଚଳଗୁଡ଼ିକରେ ବାୟୁ ପ୍ରଦୂଷଣ ଉତ୍କଟ । ଯାହା ମଣିଷ ସମାଜ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି । ଯାନବାହାନ ଚଳାଚଳ ବୃଦ୍ଧି ଘଟି ଚାଲିଥିବା ପ୍ରଦୂଷଣ ପାଇଁ ଯାନବାହନଗୁଡ଼ିକର ମୁଖ୍ୟତଃ ଦାୟୀ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶର ୧୨୨ ସହର ପାଇଁ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଏହାସହ ପ୍ରତ୍ୟେକ ସହରର ପ୍ରଦୂଷଣ ସ୍ତରକୁ ପରଖିବା ପରେ ପରିବେଶ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ପରିବେଶକ ବଂଚାଇବା ପାଇଁ କେନ୍ଦ୍ର ସରକାର ସର୍ବଦା ଚେଷ୍ଟାରତ । ପ୍ରକାଶ ଜାଭଡ଼େକର କହିଛନ୍ତି ସରକାରୀ ପ୍ରୟାସ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ହଜାର ବର୍ଗ କିମି କ୍ଷେତ୍ରରେ ଜଙ୍ଗଲ ବଢ଼ିପାରିଛି । ଆଗାମୀ ସମୟରେ ଏହା ଆହୁରି ବୃଦ୍ଧି ପାଇବ ।
ତେବେ ପ୍ରମୁଖ ସହର ଗୁଡ଼ିକରେ ବିଏସ୍-୬ ଇନ୍ଧନ ଉପଲବ୍ଧ ହେଲେ ପ୍ରଦୂଷଣ କମିବା ସହ ପରିବେଶ ସ୍ୱଚ୍ଛ ରହିବାରେ ସହାୟକ ହେବ । ସୂଚନାଯୋଗ୍ୟ ଜାତୀୟ ରାଜଧାନୀ ଦିଲ୍ଲୀରେ ପୂର୍ବରୁ ବିଏସ୍-୬ ମାନର ଇନ୍ଧନ ମିଳୁଛି ।