କର୍ଣ୍ଣାଟକ ଦଖଲ ପାଇଁ ତରତରରେ ନୂଆ ମୁଖ୍ୟମନ୍ତ୍ରୀ : ଆସନ୍ତା ୨୯ରେ ଆସ୍ଥା ଭୋଟ ପରେ ସରକାରୀ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା

173

କନକ ବ୍ୟୁରୋ : କର୍ଣ୍ଣାଟକରେ କ୍ଷମତା ଦଖଲ ପାଇଁ ତରତର ବିଜେପି ବିଧାୟକ ଦଳ ନେତା ବିଏସ ୟେଦିୟୁରପ୍ପା । ଗତକାଲି ସେ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ ୨ଦିନର ମୁଖ୍ୟମନ୍ତ୍ରୀ ପୁଣିଥରେ ରାଜ୍ୟର ଏହି ସର୍ବୋଚ୍ଚ ଆସନରେ ବସିବାର ବ୍ୟାକୁଳତା ସ୍ପଷ୍ଟ ବାରି ହୋଇପଡିଛି । କୁମାରସ୍ୱାମୀ ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ରାଜ୍ୟପାଳ ତୁରନ୍ତ ତାଙ୍କୁ ସରକାର ଗଢିବାକୁ ଆମନ୍ତ୍ରଣ କରନ୍ତୁ ବୋଲି ଦାବି କରୁଥିଲେ । ଏପରିକି ବିଧାନସଭାରେ ଆସ୍ଥାଭୋଟ୍ ଦିନ ଗଡି ଚାଲିଥିବାବେଳେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବସି ପ୍ରତିବାଦ କରୁଥିଲେ । କୁମାରସ୍ୱାମୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜଣାଉଥିଲେ । ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ତାଙ୍କର ନୈତିକ ଅଧିକାର ନାହିଁ ବୋଲି ଦାବି କରୁଥିଲେ ।

ଏହାପରେ ଗତ ୨୩ ତାରିଖରେ ଆସ୍ଥା ଭୋଟରେ ଫେଲ ମାରିଥିଲେ କୁମାରସ୍ୱାମୀ । ବିଦ୍ରୋହୀ ବିଧାୟକଙ୍କ ଅନୁପସ୍ଥିତି କଂଗ୍ରେସ-ଜେଡିଏସ ମେଂଟ ସରକାର ପତନର କାରଣ ହେଲା । ଏହାର ତିନିଦିନ ପରେ ସରକାର ଗଢିବାକୁ ରାଜ୍ୟପାଳ ବାଜୁଭାଇ ଭଲ୍ଲାଙ୍କ ନିକଟରେ ଦାବି ଜଣାଇଲେ ବିଜେପି ବିଧାୟକ ଦଳ ନେତା । ବିଜେପି ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପାଇବା ପରେ ତୁରନ୍ତ ରାଜ୍ୟପାଳଙ୍କୁ ଭେଟି ତାଙ୍କୁ ସରକାର ଗଢିବାକୁ ଆମନ୍ତ୍ରଣ କରିବା ପାଇଁ ଦାବି ଜଣାଇଲେ । ଏପରିକି ରାଜ୍ୟପାଳ ଏଥିରେ ସମତି ଜଣାଇଥିବା ଏକ ଚିଠି ଗଣମାଧ୍ୟମରେ ଦେଖାଇଲେ । ଏଥିସହ ସଂଧ୍ୟା ୬ଟା ସୁଦ୍ଧା ସେ ଶପଥ ନେବେ ବୋଲି ରାଜ୍ୟପାଳଙ୍କୁ ଜଣାଇଥିଲେ ।

ଏହାପରେ ଶୁକ୍ରବାର ସଂଧ୍ୟାରେ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ ୟେଦିୟୁରପ୍ପା । କେବଳ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବାବେଳେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ପରେ ଶପଥ ନେବେ ତାଙ୍କ ମନ୍ତ୍ରିମଣ୍ଡଳ । ପ୍ରଥମରୁ କୁହାଯାଉଥିଲା ଜୁଲାଇ ୩୧ ତାରିଖରେ ଫ୍ଲୋର ଟେଷ୍ଟ ଦେବେ ୟେଦିୟୁରପ୍ପା । ହେଲେ ଏବେ ସୋମବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି ଦମ୍ଭୋକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ । ଚର୍ଚ୍ଚା ହେଉଛି ଖୁବଶୀଘ୍ର ଆସ୍ଥା ଭୋଟରେ ଜିତି ସରକାରୀ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ବେଶ ତରବରିଆରେ ଅଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ।

ଏପଟେ ଶୁଣିବାକୁ ମିଳୁଛି ରାଜ୍ୟରେ ବିଜେପି ସରକାରଙ୍କ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି ଜେଡିଏସ ବିଧାୟକ । ବିଜେପି ସରକାରରେ ରହି କିମ୍ବା ବାହାରୁ ସମର୍ଥନ କରି ଆଗାମୀ ୩ ବର୍ଷ ଯାଏଁ ସରକାରଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଜେଡିଏସ ବିଧାୟକମାନେ କୁମାରସ୍ୱାମୀଙ୍କୁ ଅନୁରୋଧ କରିଛନ୍ତି । ଏନେଇ ବିଧାୟକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବେଠକ ହୋଇଥିଲା । ପ୍ରଥମେ ବିରୋଧୀ ଆସନରେ ବସି ବିଜେପି ସରକାରଙ୍କ ଭଲ କାମରେ ସମର୍ଥନ କରିବାକୁ ବିଧାୟକମାନେ ନିଷ୍ପତି କରିଥିଲେ । ହେଲେ ପରେ ମତ ପରିବର୍ତନ କରି ସରକାରଙ୍କୁ ପୂର୍ଣ୍ଣତଃ ସହଯୋଗ କରିବା ସପକ୍ଷରେ ମତ ରଖିଛନ୍ତି । ତେବେ ଏଥିପାଇଁ କୁମାରସ୍ୱାମୀଙ୍କ ନିଷ୍ପତି ହିଁ ଚୂଡାନ୍ତ ହେବ ବୋଲି ସେମାନେ ସ୍ପଷ୍ଟ କରିଦେଇଛନ୍ତି ।