ଅଭିନନ୍ଦନ ପୁଣି ଉଡ଼ାଇବେ କି ଫାଇଟର୍ ଜେଟ୍ ? ବାୟୁସେନା ମୁଖ୍ୟ ଦେଲେ ଉତ୍ତର . . .

221

କନକ ବ୍ୟୁରୋ : ଭାରତୀୟ ବାୟୁସେନା ମୁଖ୍ୟ ବିଏସ ଧନୋଆ ଏୟାରଷ୍ଟ୍ରାଇକୁ ନେଇ ଆଜି ହୋଇଥିବା ପ୍ରେସମିଟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏୟାରଷ୍ଟ୍ରାଇକ୍ ସହ ଅଭିନନ୍ଦନଙ୍କୁ ନେଇ ବିଭିନ୍ନ ପ୍ରଶ୍ନ କରାଯାଇଥିଲେ । ୱିଙ୍ଗ କମାଣ୍ଡର ପୁଣି ଥରେ ଯୁଦ୍ଧ ବିମାନ ଉଡ଼ାଇବେ କି ନାହିଁ ବୋଲି ମଧ୍ୟ ଧନୋଆଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଛନ୍ତି ଏବେ ଅଭିନନ୍ଦନଙ୍କର ମେଡ଼ିକାଲ ଟେଷ୍ଟ କରାଯାଉଛି । ସେ ମେଡ଼ିକାଲ ଫିଟ୍ ହେଲେ ପୁଣି ଥରେ ଫାଇଟର ଜେଟ୍ ଉଡ଼ାଇ ପାରିବେ । ଫାଇଟର ଜେଟ୍ ଉଡ଼ାଇବା ଅଭିନନ୍ଦନଙ୍କ ଫିଟିନେସ୍ ଉପରେ ନିର୍ଭର କରେ । ଏବେ ୱିଙ୍ଗ କମାଣ୍ଡରଙ୍କ ଚିକିତ୍ସା ଚାଲିଛି । ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଗଲେ ସେ ଫାଇଟର କକପିଟରେ ବସିବେ । ଏହାବ୍ୟତୀତ ସେ କହିଛନ୍ତି ମିଗ-୨୧ ଏକ ଭଲ ଓ ଆକ୍ରାତ୍ମକ ବିମାନ । ବାୟୁସେନାରେ ନୂଆ ବିମାନ ଆଣିବାକୁ ଯୋଜନା କରାଯାଉଛି ।

ବାଲାକୋଟ ଆକ୍ରମଣ ନେଇ ବିଏସ ଧନୋଆ କହିଛନ୍ତି ମୃତ୍ୟୁସଂଖ୍ୟା ଗଣିବା ଆମର କାମ ନୁହେଁ । ଆତଙ୍କୀ ଠିକଣାକୁ ଟାର୍ଗେଟ କରିବା ଆମର କାମ ଥିଲା । ଯଦି ଜଙ୍ଗଲରେ ଆକ୍ରମଣ ହୋଇଛି ସେମାନେ ପ୍ରତିଆକ୍ରମଣ କଲେ କାହିଁକି ବୋଲି ବାୟୁସେନା ମୁଖ୍ୟ କହିଛନ୍ତି । ଆମେ ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲୁ ତାହା ପୂରଣ ହୋଇଛି । ଯୋଜନା ଅନୁସାରେ ଏଫ-୧୬କୁ ଟାର୍ଗେଟ କରାଯାଇଥିଲା । ଏଥିରେ ଆମେ ସଫଳ ହୋଇଛୁ । ପାକିସ୍ତାନ ବିରୋଧରେ ଆମ ଅପରେସନ ସରିନାହିଁ ।