ହିଞ୍ଜିଳିରେ ନବୀନଙ୍କଠାରୁ ଢେର୍ ଆଗରେ ଦକ୍ଷିଣ ଓଡ଼ିଶାର ଲୋକପ୍ରିୟ ନେତା ବୃନ୍ଦାବନ ! ଲଗାତାର ୭ ଥର ଜିତିଥିଲେ ନିର୍ବାଚନ

437

ସର୍ବାଧିକ ସମୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶାସନ କ୍ଷମତାରେ ରହିବା ରେକର୍ଡ ରହିଛି ନବୀନ ପଟ୍ଟନାୟକଙ୍କ ନାମରେ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାଠାରୁ ଲଗାତାର ୪ ଥର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି ନବୀନ । ଦୀର୍ଘ ୧୯ ବର୍ଷ ଧରି ବିଧାୟକ ଭାବେ ଏହି ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ଵ କରି ଆସୁଥିବା ନବୀନ ଏବେ ପୁଣିଥରେ ୫ମ ଥର ପାଇଁ ହିଞ୍ଜିଳିରୁ ଲଢ଼ିବେ ଏବଂ ଆଗକୁ ୫ ବର୍ଷ କାର୍ଯ୍ୟକାଳ ପୂରାକଲେ ଲଗାତାର ୫ଥର ନିର୍ବାଚନ ଜିଣି ୨୪ ବର୍ଷ ଏହି ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ଵ କରିବା ଏକ କୀର୍ତ୍ତିିମାନ ସ୍ଥାପନ କରିବେ । କିନ୍ତୁ କୌତୂହଳର କଥା ହେଲା ଏ କ୍ଷେତ୍ରରେ ନବୀନଙ୍କ ଠାରୁ ଢେର୍‌ ଆଗରେ ଅଛନ୍ତି ଦକ୍ଷିଣ ଓଡ଼ିଶାର ଲୋକପ୍ରିୟ ଜନନେତା ବୃନ୍ଦାବନ ନାୟକ ।

ନବୀନ ୧୯, ବୃନ୍ଦାବନ ୨୭
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ହିଞ୍ଜିଳିରୁ ଲଗାତାର ୪ ଥର ନିର୍ବାଚିତ ହୋଇଥିବାବେଳେ ତାଙ୍କଠାରୁ ଯଥେଷ୍ଟ ଅଧିକ, ଲଗାତାର ୭ ଥର ଏହି ଆସନରୁ ନିର୍ବାଚିତ ହୋଇଛନ୍ତି ବୃନ୍ଦାବନ ନାୟକ । ୧୯୫୭ରେ ଅନୁଷ୍ଠିତ ହୋଇଥିବା ସ୍ୱାଧୀନତା ପରର ୨ୟ ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ୧୯୮୦ ମସିହାର ୮ମ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଆସନରୁ ନିର୍ବାଚିତ ହୋଇଆସିଛନ୍ତିଏବଂ ୧୯୮୪ ମସିହା ଅକ୍ଟୋବର ୧୦ ତାରିଖରେ ଇହଧାମ ତ୍ୟାଗ କରିବା ପର୍ଯ୍ୟନ୍ତ ଦୀର୍ଘ ୨୭ ବର୍ଷ ଏହି ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ଵ କରିଆସିଛନ୍ତି। ଏହା ନବୀନ ପଟ୍ଟନାୟକଙ୍କର ୧୯ ବର୍ଷର ରେକର୍ଡ଼ଠାରୁ ଯଥେଷ୍ଟ ଅଧିକ।

 

ବାଧକ ସାଜିନି ଦଳବଦଳ
ବୃନ୍ଦାବନ ନାୟକ ୧୯୫୭, ୧୯୬୧ ଓ ୧୯୬୭ ନିର୍ବାଚନରେ କଂଗ୍ରେସ ଦଳର ଟିକେଟରେ ଲଢ଼ିଥିବାବେଳେ ୧୯୭୧ ଓ ୧୯୭୪ ନିର୍ବାଚନରେ ଉତ୍କଳ କଂଗ୍ରେସ ଦଳର ପ୍ରାର୍ଥୀ ହିସାବରେ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହା ନିର୍ବାଚନରେ ସାରା ରାଜ୍ୟରେ ଜନତା ଦଳର ପ୍ରାର୍ଥୀମାନେ ଜିଣୁଥିବା ସମୟରେ ସେ କଂଗ୍ରେସ ପ୍ରାର୍ଥୀ ହିସାବରେ ପୁଣିଥରେ ନିର୍ବାଚିତ ହେଲେ। ଠିକ୍‌ ସେହିପରି ୧୯୮୦ରେ ସାରା ରାଜ୍ୟରେ କଂଗ୍ରେସ ସପକ୍ଷରେ ଥିବା ନିର୍ବାଚନୀ ଲହରକୁ ପଛରେ ପକାଇ ଜନତା(ଏସ୍‌) ଦଳ ଟିକେଟରେ ସେ ହିଞ୍ଜିଳି ଆସନରୁ ନିର୍ବାଚନ ଜିତିଲେ। ଏହା ତାଙ୍କର ଅସାଧାରଣ ବ୍ୟକ୍ତିତ୍ଵ ଓ ବିପୁଳ ଜନପ୍ରିୟତାର ପ୍ରମାଣ।

୧୯୫୭ରୁ ୧୯୮୪ ପର୍ଯ୍ୟନ୍ତ ଦୀର୍ଘ ୨୭ ବର୍ଷର ବିଧାନସଭା କାର୍ଯ୍ୟକାଳ ଭିତରେ ସେ ବହୁବାର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ହିସାବରେ କାର୍ଯ୍ୟ କରିଛନ୍ତି। ଏହା ଛଡ଼ା ୧୯୭୮ ଫେବୃଆରି ୨୦ରୁ ୧୯୭୯ ସେପ୍ଟେଟର ୩ ତାରିଖ ପର୍ଯ୍ୟନ୍ତ ବିଧାନସଭାର ବିରୋଧୀ ଦଳ ନେତା ପଦବୀରେ ମଧ୍ୟ ରହିଛନ୍ତି।

ଜନସାଧାରଣଙ୍କ ହୃଦୟରେ ନିଜର ଆସନ ଜମାଇପାରିଲେ ବିଧାନସଭା ଆସନ ଜିଣିବା ଯେ ଆଦୌ କଷ୍ଟକର ନୁହେଁ ବୃନ୍ଦାବନଙ୍କର ରାଜନୈତିକ ଜୀବନ ତାହାର ଜ୍ୱଳନ୍ତ ପ୍ରମାଣ।