କନକ ବ୍ୟୁରୋ : ଚୋରା ମଦ ବେପାର ପରେ ଏବେ ଗୋପ ଅଞ୍ଚଳରେ ବ୍ରାଉନ୍ ସୁଗାର୍ର ଅବାଧ କାରବାର ଚାଲିଛି । କଲେଜ ଓ ସ୍କୁଲ୍ ଛାତ୍ରଙ୍କ ସହ ନାବାଳକମାନେ ଏହାର ଶିକାର ହେଉଛନ୍ତି । ନିମାପଡ଼ାରୁ କିଛି ଚୋରା ବେପାରୀ ଗୋପ ଅଞ୍ଚଳରେ ଏଭଳି ରାକେଟ୍ ଚଳାଇଥିବା ଜଣାପଡ଼ିଛି । ଏହି ବେପାରୀମାନେ କଲେଜ ଛାତ୍ରଙ୍କୁ ଟାର୍ଗେଟ୍ କରୁଛନ୍ତି । ଗାଁ ଗହଳିରୁ ନୂଆ ନୂଆ କଲେଜ ଆସିବା ପରେ କିଛି ଛାତ୍ର ବିଡି, ସିଗାରେଟ୍ ଏବଂ ଏବେ ବ୍ରାଉନ୍ସୁଗାର କବଳରେ ପଡ଼ିବା ପରେ ସେମାନଙ୍କର ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।
ବେପାରୀମାନେ ପ୍ରଥମେ ଛାତ୍ରମାନଙ୍କୁ ମାଗଣାରେ ବ୍ରାଉନ୍ସୁଗାର ବିକ୍ରି କରୁଛନ୍ତି । ଛାତ୍ରମାନେ ଅଭ୍ୟାସରେ ପଡ଼ିଗଲା ପରେ ବେପାରୀମାନେ ସେମାନଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି । ନିଶାଗ୍ରସ୍ତ ହେବା ପରେ ଛାତ୍ରମାନେ ଚୋରି କରିବା ସହ ଘରେ ଝଗଡ଼ା କରି ଟଙ୍କା ଆଣି ନିଶା ସେବନ କରୁଛନ୍ତି । ଗୋପ ଅଂଚଳରେ ନିଶା କାରବାର ଜୋରରେ ଚାଲିଥିବା ବେଳେ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି ।
ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ବେପାର ଚାଲୁଛି। ସନ୍ଧ୍ୟା ସମୟରେ ଗୋପ ସେତୁ ଉପରେ ମଦୁଆଙ୍କ ସହିତ ବ୍ରାଉନ୍ସୁଗାର ସେବନ କରୁଥିବା ଯୁବକମାନଙ୍କର ଭିଡ଼ ଦେଖିବାକୁ ମିଳୁଛି । ଏପରିକି ସନ୍ଧ୍ୟା ସମୟରେ ଏହି ସେତୁ ଦେଇ ଯିବା ଆସିବା କରିବାକୁ ଲୋକମାନେ ଭୟ କଲେଣି । ତୁରନ୍ତ ଏହି ଚୋରା ବେପାରୀମାନଙ୍କୁ ଗିରଫ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।