କରୋନା କଟକଣା : ଗାଡ଼ି ଚଳାଚଳ ବନ୍ଦ ବେଳେ ଦଲାଲ ସକ୍ରିୟ, ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ ଅଭିଯୋଗ

623

କନକ ବ୍ୟୁରୋ : କରୋନା କଟକଣା ଚାଲିଥିବା ବେଳେ କିଛି ଦଲାଲ ସକ୍ରିୟ ହୋଇ ଉଠିଛନ୍ତି । ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ଦଲାଲ ମାନେ ଏହାର ଫାଇଦା ନେଇ ଆମ୍ବୁଲାନସ୍‌ରେ ଯାତ୍ରୀ ଚାଲାଣ କରୁଛନ୍ତି । ଏହି କାରବାରରେ ଲାଗିପଡ଼ିଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର କିଛି ଟ୍ରାଭେଲ୍ ଏଜେନ୍ସି । ଏମିତି ସୂଚନା ଦେଇଛନ୍ତି ବାହାର ଜିଲ୍ଲା କିମ୍ବା ରାଜ୍ୟ ବାହାର ଆସି ଭୁବନେଶ୍ବରରେ କାମ କରୁଥିବା ବ୍ୟକ୍ତିମାନେ । ସେମାନେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଅଞ୍ଚଳରେ କାମ କରିବା ପାଇଁ ଆସି ଫସି ରହିଛନ୍ତି । ନିଜ ଘରକୁ ଯିବା ପାଇଁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ପୁଲିସ ଠାରୁ ଅନୁମତି ପତ୍ର ମାଗି ନିରାଶ ହେବା ପରେ ଏବେ ଦଲାଲଙ୍କ ଶିକାର ହୋଇଛନ୍ତି ।

ସୂଚନା ଅନୁଯାୟୀ ପଟିଆ ଷ୍ଟେସନ ନିକଟରେ ଜଣେ ଦଲାଲ କିଛି ଶ୍ରମିକମାନଙ୍କ ସହ ଗତକାଲି ମୂଲଚାଲ କରିଥିଲେ । ପରେ ଏକ ଆମ୍ବୁଲାନସ୍‌ରେ ସେମାନଙ୍କୁ କୋରାପୁଟ ନେବା ପାଇଁ ଯୋଜନା ହୋଇଥିଲା । ୬ଜଣ ବ୍ୟକ୍ତି କୋରାପୁଟ ଯିବାପାଇଁ ୨୦ ହଜାର ଟଙ୍କା ଦେଇଥିବା ସୂଚନା ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପିସିଆର୍ କର୍ମଚାରୀ ଶ୍ରମିକମାନଙ୍କୁ ଦଲାଲଙ୍କ ସହ ଯୋଗ‌ାଯୋଗ କରାଇ ଦେଇଥିବା ଜଣାପଡ଼ିଛି । ଆଜି ମଧ୍ୟ ୪ଜଣ ଶ୍ରମିକ ଏକ ଆମ୍ବୁଲାନସ୍ ଯୋଗେ ଛତିଶଗଡ଼-ଓଡ଼ିଶା ସୀମା ପର୍ଯ୍ୟନ୍ତ ଯାଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଦଲାଲ ଜଣକର କିଛି ଗାଡ଼ି ବିମାନ ବନ୍ଦର, ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଅଞ୍ଚଳରେ ଥିବା ବିଭିନ୍ନ ଅନୁଷ୍ଠାନରେ ଭଡ଼ାରେ ଲାଗିଥିବା ସୂଚନା ମିଳିଛି । ତାଙ୍କ ଗାଡ଼ିର ସ୍ବତନ୍ତ୍ର ପାସ୍ ରହିଛି ବୋଲି ଦର୍ଶାଇ ସେ ଲୋକମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ପରେ ଆମ୍ବୁଲାନସ୍‌ ଯୋଗେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରକୁ ପଠାଉଥିବା ସୂଚନା ଜଣାପଡ଼ିଛି । ମାତ୍ର ଦଲାଲ ଜଣକ ସମ୍ପର୍କରେ ସୂଚନା ମିଳି ନ ଥିବା ବେଳେ ଉଭୟ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ୍ ଆଜିଠାରୁ କିଟ୍ ଛକ, ପଟିଆ ଛକ, ଡମଣା ଛକ ଓ ନାଲ୍‌କୋ ଛକରେ ପ୍ରତି ଗାଡ଼ିକୁ ଯାଞ୍ଚ କରିବା ସହ ବସିଥିବା ଯାତ୍ରୀଙ୍କ ଉପରେ ନଜର ରଖିବା ଆରମ୍ଭ କରିଛି ।

ଖାସ୍ କରି ଆମ୍ବୁଲାନସ୍ ଗୁଡ଼ିକରେ ବସିଥିବା ଯାତ୍ରୀ କିମ୍ବା ରୋଗୀଙ୍କ ବିଷୟରେ ପଚରାଉଚରା କରି ଗାଡ଼ି ଛାଡ଼ୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ନୀଳାଦ୍ରିବିହାରରେ ଫସି ରହିଥିବା କିଛି କୋଲକାତାର ଶ୍ରମିକ ମଧ୍ୟ ଆଜି ଜଣେ ଦଲାଲଙ୍କ ହାବୁଡ଼ରେ ପଡ଼ିଛନ୍ତି । ସେ ଅଗ୍ରିମ ୧ହଜାର ଟଙ୍କା ଦଲାଲକୁ ଦେଇଛନ୍ତି । ବିଳମ୍ବିତ ରାତିରେ ସେମାନଙ୍କୁ ଏକ ଗାଡ଼ିରେ ବାଲେଶ୍ବର-କୋଲକାତା ଚେକ୍ ଗେଟ୍ ପର୍ଯ୍ୟନ୍ତ ନେଇ ଛାଡ଼ିବେ ବୋଲି କଥା ହୋଇଥିବା ଅମୂଲ୍ୟ ମାଇତି ନାମକ ବ୍ୟକ୍ତି ପ୍ରକାଶ କରିଛନ୍ତି ।