୧୦ ବର୍ଷ ଧରି ଚାଲିଛି ପୋଲ କାମ, ହେଲେ କାମ ସରୁନି : ହନ୍ତସନ୍ତ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ୨୫ଟି ପଞ୍ଚାୟତର ଲୋକେ, ଆଖି ବୁଜି ବସିଛି ପ୍ରଶାସନ

232

କନକ ବ୍ୟୁରୋ : ୧୦ ବର୍ଷ ଧରି ଚାଲିଛି ପୋଲ କାମ, ହେଲେ କାମ ସରୁନି । ଫଳରେ କେନ୍ଦୁଝର ଜିଲ୍ଲାର ୩ଟି ବ୍ଲକର ୨୫ଟି ପଂଚାୟତର ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି । ପୋଲ କାମ ସରୁନଥିବାରୁ ଲୋକମାନେ ଏକ ମାଟି ପୋଲ ଉପରେ ଅସୁରକ୍ଷିତ ଭାବେ ଯା’ଆସ କରୁଛନ୍ତି । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକର ରିମୁଳି ଅରଡେଇ ନଦୀ ଉପରେ ରହିଛି ଏହି ପୋଲ । ନିର୍ମାଣ କାମ ସାରୁନି ଠିକାଦାର । ଫଳରେ ଖରାଦିନେ ଲୋକେ ତିଆରି କରିଥିବା ମାଟି ପୋଲ ଉପରେ ଭରସା କରି ଚଳୁଛନ୍ତି । କିନ୍ତୁ ବର୍ଷା ଆସିଗଲେ ବଢିଯିବ ବିପଦ । କାରଣ ଅରଡେଇ ନଦୀରେ ପାଣି ସ୍ତର ବଢିବ ।

ମାଟି ପୋଲ ଉପର ଦେଇ ଯିବା ଆସିବା କରିବା ପୁରା ବନ୍ଦ ହୋଇଯାଇଥାଏ । ଗତ ୧୦ ବର୍ଷ ଧରି ଲୋକେ ଏହି ସମସ୍ୟା ଭୋଗୁଥିଲେ ମଧ୍ୟ ପ୍ରଶାସନର ନଜର ପଡୁନି । ଅରଡେଇ ନଦୀ ଆରପଟେ ରହିଛି ଚମ୍ପୁଆ, ଝୁମ୍ପୁରା ଓ ପାଟଣା ବ୍ଲକର ୨୫ ଟି ପଂଚାୟତ । ଲୋକେ ଶିକ୍ଷା , ସ୍ୱାସ୍ଥ୍ୟ ଓ ରୋଜଗାର ପାଇଁ ପ୍ରତିଦିନ ଏହି ପୋଲ ଉପରେ ଭରସା କରିଥାନ୍ତି ।

ବର୍ଷା ଦିନ ଆସିଲେ ବିପଦ ସଙ୍କୁଳ ଅବସ୍ଥାରେ ପୋଲ ଉପରେ ନ ଯାଇ ପ୍ରାୟ ୩୦ କିଲୋମିଟର ବୁଲି ବୁଲି ଯିବାକୁ ପଡୁଛି ହଜାର ହଜାର ଲୋକଙ୍କୁ । ସେପଟେ ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇବା ପରେ ସେ ଘଟଣାକୁ ହାଲୁକା ଭାବେ ନେଇଛନ୍ତି । କହିଛନ୍ତି ନୂଆ କରି ଟେଣ୍ଡର ପଡିଲେ , ବାକି କାମ ସରିବ ।