କରୋନା ଅଟକାଇପାରିଲାନି ବିବାହ । ନା ବାଜିଲା ବାଜା , ନା ଫୁଟିଲା ବାଣ । ମାସ୍କ ପିନ୍ଧି ବିବାହ ବନ୍ଧନରେ ଆବଦ୍ଧ ହେଲେ ବରକନ୍ୟା

944

କନକ ବ୍ୟୁରୋ : ନା ବାଜିଲା ବାଜା , ନା ଫୁଟିଲା ବାଣ । ବିନା ବରଯାତ୍ରୀରେ ହେଲା ବାହାଘର । କରୋନା ଅଟକାଇ ପାରିଲାନି ବିବାହ । ବରଯାତ୍ରୀ ଥିଲେ ମାତ୍ର ୫ ଜ ଣ। ସମସ୍ତଙ୍କ ମୁହଁରେ ଥିଲା ମାସ୍କ । କନ୍ୟା ଘରେ ବରକୁ ବରଣ କଲାବେଳେ ଦ୍ବାର ମୁହଁରେ ସାନିଟାଇଜର୍ ଧରି ଜଗିଥିଲା ଜଣେ। ମାସ୍କ ପିନ୍ଧି ବେଦିରେ ବସିଲେ ବରକନ୍ୟା । ସମସ୍ତେ ତାହାକୁ ହାତରେ ଲଗାଇ ଜଣ ଜଣ କରି ଭିତରକୁ ପଶୁଥିଲେ। ବେଦୀକୁ ଉଠିଲା ବେଳକୁ ଉଭୟ ବରକନ୍ୟାଙ୍କ ମୁହଁରେ ମଧ୍ୟ ଲାଗିଥିଲା ମାସ୍କ। ସାମାଜିତ ଦୂରତ୍ବ ବଜାୟ ରଖି ବସିଥିଲେ ବର, କନ୍ୟା ଓ ପଣ୍ଡିତ। ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପଡ଼ିଥିଲା ହାତଗଣ୍ଠି। ତାଲା ବନ୍ଦ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍‌ ଝାରଗାଁରେ ଆଜି ଏମିତି ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଯାଇଛି।

ଲକଡାଉନ ମଧ୍ୟରେ ନୁଆଁଡିହି ଗାଁର ଅମ୍ରିତ ଝାରଗାଁର ଶୁଭଶ୍ରୀଙ୍କୁ ବିବାହ କରିଛନ୍ତି । ଅମ୍ରିତଙ୍କ ବାପାଙ୍କ କହିବା ଅନୁସାରେ ଏପ୍ରିଲ ୧୭ ତାରିଖରେ ବାହାଘର ପାଇଁ ତିଥି ଧାର୍ଯ୍ୟ ହୋଇଥିଲା  । ୧୪ରେ ତାଲାବନ୍ଦ ସରୁଥିବାରୁ ୧୭ରେ ବାହାଘର ନିଶ୍ଚିତ ହେବ ବୋଲି ଭାବିନେଇଥିଲେ ଉଭୟ ପକ୍ଷ । ହେଲେ ତାଲାବନ୍ଦ ପୁଣି ମେ ୩ ତାରିଖକୁ ଘୁଂଚିଯାଇଥିଲା । ବହୁ ଚିନ୍ତା କରିବା ପରେ ଉଭୟ ପକ୍ଷ ତାଲାବନ୍ଦ କଟକଣା ମାନି ବାହାଘର କରିବାକୁ ସ୍ଥିର କରିଥିଲେ । ହେଲେ ବିନା ସୋରଶଦ୍ଦରେ ଆସିଥିଲେ ବର ।  ସାମାଜିକ ଦୂରତା ବଜାୟ ରଖି ପୁରା ବିବାହ ସମ୍ପର୍ଣ୍ଣ ହୋଇଥିଲା ।