ଶିକ୍ଷା ବିଭାଗରେ ପିସି କାରବାର : କିଣାବିକାରେ ଅର୍ଥ ଦାବି କରୁଛନ୍ତି କିଛି ବଡ ଅଧିକାରୀ, କନକ ନ୍ୟୁଜ ହାତରେ ଲାଗିଲା ଦୁର୍ନୀତି ଅଡିଓ କ୍ଲିପ

629

କନକ ବ୍ୟୁରୋ : ବହୁ କଟକଣା ସତ୍ୱେ ଥମୁନି ପିସି କାରବାର । ସରକାରୀ ବିଭାଗର କାମ ବାବଦରେ ତଦାରଖ କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ମୋ ସରକାର କାର୍ଯ୍ୟକ୍ରମ । ପିସି କାରବାର ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ନିକଟରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଇଛନ୍ତି । ତଥାପି ଲାଂଚ କାରବାର ଚାଲିଛି । ସରକାରୀ କାମ ପାଇଁ ଲାଂଚ ମାଗୁଛନ୍ତି ଅଧିକାରୀ । ମାଲକାନଗିରି ମାଥିଲିରୁ ସାମ୍ନାକୁ ଆସିଛି ଶିକ୍ଷା ବିଭାଗରେ ଚାଲି ଥିବା ପିସି କାରବାରର ସାଂଘାତିକ ସତ ।

ବିଦ୍ୟାଳୟ ସ୍ତରରେ ପ୍ରତିଟି କିଣାବିକା ବାବଦ ଅର୍ଥରେ ଚାଲିଛି ପିସି କାରବାର । ଶିକ୍ଷକ ଓ ବି.ଆର.ସି.ସି କିମ୍ବା ସି.ଆର.ସି.ସିଙ୍କ ଠାରୁ ଅର୍ଥ ଦାବି କରୁଛନ୍ତି ବଡ ବଡ ଅଧିକାରୀ । ଆଉ ଯଦି ବଦଳି କଥା ଆସିଲା ତେବେ କଥା ସରିଲା । କିରାଣୀଠାରୁ ଆରମ୍ଭ କରି ବି.ଇ.ଓ ଯାଏଁ, ସମସ୍ତେ ଭାଗ ବସାଉଛନ୍ତି ଶିକ୍ଷକଙ୍କ ଉପରେ । ଏମିତି କିଛି ଅଡିଓ କ୍ଲିପ କନକ ନ୍ୟୁଜ ହାତରେ ଲାଗିଛି, ଯାହା ସ୍ପଷ୍ଟ କରୁଛି ୟୁନିଫର୍ମ, ଜୋତାରୁ ଆରମ୍ଭ କରି ମିଡ ଡେ ମିଲ ଯାଏ, ସବୁ ଥିରେ ଭାଗ ବସାନ୍ତି ଶିକ୍ଷା ବିଭାଗର କିଛି ଅଧିକାରୀ ।

ବ୍ଲକ ଶିକ୍ଷା ଅଧିକାରୀ ଗୌରଶଙ୍କର ଦାଶ ଓ ସି.ଆର.ସି.ସି ମନୋରଂଜନ ଜେନାଙ୍କ ଏହି ବାର୍ତ୍ତାଳାପରୁ ଗୋଟିଏ କଥା ସ୍ପଷ୍ଟ ଯେ ପିଲାଙ୍କ ଲାଗି ଆସୁଥିବା ୟୁନିଫର୍ମ, ଜୋତା, ମଧ୍ୟାନ୍ନ ଭୋଜନ ଟଙ୍କାରୁ ମଧ୍ୟ ପର୍ସେଂଟଜ ଖାଉଛନ୍ତି ଅଧିକାରୀ । ଅଡିଓ ଟେପରେ ସ୍ପଷ୍ଟ ପ୍ରମାଣ ଥିଲେ ବି ଘଟଣାକୁ ଫାଙ୍କି ଦେଉଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ଗୌରୀଶଙ୍କର ଦାଶ ।

ପି.ସି କାରବାର କଥା ଛାଡ । ମାଓ ଇଲାକରେ କାମ କରୁ ଥିବା ଶିକ୍ଷକମାନେ କିଭଳି ଶିକ୍ଷା ବିଭାଗ ଦ୍ୱାର ଶୋଷଣ ହେଉଛନ୍ତି ତାହାର ଆଉ ଏକ ପ୍ରମାଣ ଲାଗିଛିି କନକ ନ୍ୟୁଜ ହାତରେ । ମାଓବାଦୀଙ୍କ ଦ୍ୱାର ଧମକ ପାଇବା ପରେ ଯନଦ୍ରାଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦଶରଥ ନିଜ ବଦଳି ପାଇଁ ଏ.ବି.ଇ.ଓ ରଂଜା ୟେସୁଦାସ ଏବଂ କିରାଣୀଙ୍କୁ ୫-୫ ହଜାର ଲେଖାଏଁ ଲାଂଚ ଦେଇଥିଲେ, କିନ୍ତୁ ତାଙ୍କର ବଦଳି ହୋଇନଥିଲା । ଏହାପରେ ଦଶରଥ ହରିଜନ ଏନେଇ ଜିଲ୍ଲାପାଳ ଓ ଅନ୍ୟ ଶିକ୍ଷାଧିକାରୀଙ୍କୁ ଅବଗତ କରାଇଛନ୍ତି । ଏ ନେଇ ଏବିଇଓ ରଂଜା ୟେସୁଦାସ ଙ୍କ ପ୍ରତିକ୍ରିୟା ମିଳି ନ ଥିବା କିରାଣୀ ମାଧବ ମହାନନ୍ଦିଆ କହିଛନ୍ତି, ଅଭିଯୋଗ ସଂପୂର୍ଣ୍ଣ ମିଛ ଏହା ଏକ ଷଡଯନ୍ତ୍ର ।

ମାଲକାନଗିରି ମାଥିଲିରୁ ସାମ୍ନାକୁ ଆସିଛି ଶିକ୍ଷା ବିଭାଗରେ ଚାଲି ଥିବା ପିସି କାରବାର ଅସଲ ସତ । ଆଉ ଏହି ଲାଂଚୁଆ ଅଧିକାରୀଙ୍କ ବିରୋଧର ସାଂଘାତିକ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ।