ଗଭୀର ପୋଖରୀରେ ଅଥଳ ଜଳରାଶି. . .ଜୀବନକୁ ବାଜି ଲଗାଇ ଦୁଇ ବର୍ଷର ଶିଶୁକୁ ବଂଚାଇଲେ ୧୦ ବର୍ଷର ନାବାଳକ । ଘଟଣାକୁ ନେଇ ରାଜନଗର ଅଂଚଳରେ ଜୋରଦାର ଚର୍ଚ୍ଚା

570

କନକ ବ୍ୟୁରୋ : ଗଭୀର ପୋଖରୀ ସାଙ୍ଗକୁ ଅଥଳ ଜଳରାଶି । ମାତ୍ର ୧୦ବର୍ଷର ବାଳକ ଅଂଶୁମାନ ଜୀବନକୁ ବାଜି ଲଗାଇ ଶିଶୁ ପୁତ୍ରକୁ ଉଦ୍ଧାର ପାଇଁ ଆଗପଛ ବିଚାର ନକରି ପୋଖରୀକୁ ଲମ୍ଫ ମାରିଥିଲେ । ଘଟଣାକୁ ନେଇ ରାଜନଗର ଅଂଚଳରେ ଜୋରଦାର ଚର୍ଚ୍ଚା । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଡାଙ୍ଗମାଳ ପଂଚାୟତ ବରାଡିଆ ଗାଁର ବିଭୀଷଣ ରାଉତଙ୍କ ୨ ବର୍ଷର ଶିଶୁ ପୁତ୍ର ଘର ପଛପଟେ ଖେଳୁଥିବା ସମୟରେ ପୋଖରୀ ଆଡକୁ ଚାଲି ଯାଇ ପୋଖରୀରେ ଖସି ପଡିଥିଲା । ଗାଁ ଦୋକାନକୁ ଯିବା ବେଳେ ପାଣିରେ ଏକ ଲକେଟ୍ ଦେଖିବାକୁ ପାଇଥିଲେ ଅଂଶୁମାନ । ଟିକେ ଭଲ ଭାବେ ଦେଖିବା ପରେ ଜାଣିବାକୁ ପାଇଲେ ପ୍ରକୃତରେ ଶିଶୁଟିଏ ପାଣିରେ ବୁଡି ଯାଉଛି ।

ଆଉ ଡେରି ନକରି ହଠାତ୍ ପୋଖରୀ ଭିତରକୁ ଡେଇଁ ବୁଡି ଯାଉଥିବା ଶିଶୁକୁ ଉଦ୍ଧାର କରି ଆଣିଥିଲେ ଅଂଶୁମାନ । ପାଣିରୁ ଉଦ୍ଧାର ସମୟରେ ଶିଶୁପୁତ୍ରଟି ମୂମୁର୍ଷୁ ଅବସ୍ଥାରେ ଥିଲା । ତୁରନ୍ତ ତାକୁ ଡାଙ୍ଗାମାଳ ପ୍ରାଥମିକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରୁ କେନ୍ଦ୍ରାପଡା ଡାକ୍ତରଖାନାକୁ ପଠାଇ ଦେଇଥିଲେ ଡାକ୍ତର । ୨ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଆଜି ସକାଳେ ଶିଶୁ ପୁତ୍ରଟି ସୁସ୍ଥ ହୋଇ ଘରକୁ ଫେରିବା ପରେ ପରେ ତାକୁ ଉଦ୍ଧାର କରିଥିବା ଅଂଶୁମାନଙ୍କ ପାଇଁ ଛୁଟିବାରେ ଲାଗିଛି ପ୍ରଶଂସାର ସୁଅ ।

ଅଂଶୁମାନ ନିଜ ଜୀବନକୁ ବାଜି ଲଗାଇ ଗଭୀର ପୋଖରୀ ଭିତରକୁ ପଶି ଶିଶୁପୁତ୍ରର ଜୀବନ ବଂଚାଇଥିବାରୁ ତାଙ୍କର ସାହସିକତାକୁ ପୁରା ଗ୍ରାମବାସୀ ଗର୍ବ କରୁଛନ୍ତି । ଉଦ୍ଧାର ଶିଶୁପୁତ୍ରର ପରିବାର ଲୋକେ କହିଛନ୍ତି ଭାଗବାନ ଆମ ପୁଅକୁ ନୂଆ ଜୀବନ ଦେବାକୁ ଅଂଶୁମାନକୁ ଦେବଦୂତ କରି ପଠାଇଥିଲେ ।