ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ! ସ୍କୁଲ କାନ୍ଥରେ ସାପ, ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ

162

କନକ ବ୍ୟୁରୋ : ବାଃ ବାଃରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥା । ବିପଦସଙ୍କୁଳ ଅବସ୍ଥାରେ ଖୋଲା ଆକାଶ  ତଳେ ଚାଲିଛି ପାଠପଢା ସାଙ୍ଗକୁ  ମଧ୍ୟାହ୍ନ ଭୋଜନ ରୋଷେଇ । ସରକାରଙ୍କ ସର୍ବଶିକ୍ଷା ଅଭିଯାନ ବୌଦ୍ଧ ଜିଲ୍ଲାର ଡିମିରିଖୋଲ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରହସନ ପାଲଟିଛି  ।

କାନ୍ଥ ଅଛି ଛାତ ନାହିଁ । ଘର ଉପର ଆଜବେଷ୍ଟ ଉଡି ଯାଇଛି, ଖାଲି କେଇଖଣ୍ଡ କାଠ ପଡି ରହିଛି  । ଆଉ ଏହି ବିପଦସଂକୁଳ ଘରେ ଖରା, ବର୍ଷା, ଶୀତ କାକରରେ ତଳେ ବସି କୁନି କୁନି ପିଲା ପଠା ପଢୁଥିବା ବେଳେ ମଧ୍ୟାହ୍ନ ଭୋଜନ ବି ରୋଷେଇ ଚାଲିଛି । ଏହା ବ୍ୟତୀତ ସ୍କୁଲ ଘରଟି ଏଭଳି ଅବସ୍ଥାରେ ରହିଛି ଯେ, କାନ୍ଥରେ ବୁଲୁଛି ବିଷାକ୍ତ ସାପ । କେତେବେଳେ ଯେ କଣ ଘଟିବ ତାହା କିଏ କହିବ ? ଭଗବାନଙ୍କ ଭରସାରେ ଚାଲିଥିବା ଏହି ବିଦ୍ୟାଳୟରେ ନା ଅଛି ପାଚେରୀ ନା ଆନୁସାଙ୍ଗିକ ବ୍ୟବସ୍ଥା । ଶିକ୍ଷକମାନେ ମଧ୍ୟ ନିଜ ଇଛାରେ ଆସନ୍ତି ବୋଲି କହିଛନ୍ତି ଅଭିଭାବକ ।

ଅନ୍ୟପଟେ ସ୍କୁଲ ଘର କାମ ନସାରି ଅର୍ଥ ହଡପ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରି ଚୁପ୍ ବସିଛି ପ୍ରଶାସନ । ସେପଟେ  ପ୍ରଧାନ ଶିକ୍ଷକ ଅଭିଯୋଗକୁ ସ୍ୱୀକାର କରି ତାଙ୍କ କଥା ଉପରିସ୍ଥ ଅଧିକାରୀ ଶୁଣୁନଥିବା କହିଛନ୍ତି । ତେବେ ସ୍କୁଲର ସମସ୍ୟା ବାବଦରେ ଆଲୋଚନା ଜାରି ରହିଥିବା କହିଛନ୍ତି ଜିଲ୍ଲାପାଳ । ସରକାର ଗୁଣ୍ମାତକ ଶିକ୍ଷାର ମାନବୃଦ୍ଧି ସାଙ୍ଗକୁ ନିରକ୍ଷରତା ଦୂରୀକରଣ ପାଇଁ ପ୍ରଣୟନ କରିଛନ୍ତି ସର୍ବଶିକ୍ଷା ଭଳି ଅନେକ କିଛି ଯୋଜନା । ହେଲେ ଏଠାରେ ସରକାରୀ ଯୋଜନା ସଂପୂର୍ଣ୍ଣ ବାଟବଣା ହୋଇଯାଇଥିବା ସ୍ପଷ୍ଟ ହୋଇଛି ।