ଲଘୁଚାପ ବର୍ଷାରେ ଭିଜିଲା ଅମଳ ଧାନ : ବୌଦ୍ଧ ହରଭଙ୍ଗାରେ ଜମିରେ ଗଜା ହୋଇଗଲା ପାଚିଲା ଡାଳୁଅ ଧାନ, ସରକାରୀ ସହାୟତା ପାଇଁ ଚାଷୀଙ୍କ ନିବେଦନ

72

କନକ ବ୍ୟୁରୋ : ଲଘୁଚାପ ବର୍ଷାରେ ଚାଷୀଙ୍କ ଡାଳୁଅ ଧାନ ଗଜା ହୋଇଛି । ଧାରକରଜ କରି ଡାଳୁଅ ଚାଷ କରି ପରିବାର ପ୍ରତିପୋଷଣର ଆଶା ବାନ୍ଧିଥିଲେ ଚାଷୀ । ହେଲେ ସବୁ ଆଶା ଧୋଇଦେଲା ଲଘୁଚାପ ବର୍ଷା । ବର୍ଷା ମାଡ ଖାଇଥିବା ଧାନ ନିମ୍ନମାନର ଦର୍ଶାଇ ମଣ୍ଡିରେ ଧାନ କିଣିବାକୁ ଅଧିକାରୀ ମନା କରୁଥିବା ବେଳେ ଚାଷ ବାବଦକୁ ଖର୍ଚ ହୋଇଥିବା ଅର୍ଥ ମିଳିବା ମୁସ୍କିଲ୍ । ଯାହା ଏବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଚାଷୀଙ୍କ ନିଦ ହଜେଇ ଦେଇଛି ।

ମରୁଡିକୁ ନେଇ ସବୁ ବେଳେ ଚର୍ଚ୍ଚା ବୌଦ୍ଧ ଜିଲ୍ଲାରେ ଗଜା ହୋଇଛି ରବି ଧାନ । ଖରିଫ୍ ଋତୁରେ ମରୁଡି ଦାଉ ସାଧୁଥିବା ବେଳେ ରବି ଋତୁରେ ହରଭଙ୍ଗା ବ୍ଲକର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲ୍ଲାଇ ଦେଇଛି ଲଘୁଚାପ ବର୍ଷା । ଗୋପପୁର, ସୁବୁଳିଆ, ମଙ୍ଗଳପୁର, ସାମ୍ପୋଚ, ଶ୍ୟାସୁନ୍ଦରପୁର, ପ୍ରଗଳପୁର, କେଲାକଟା ଗାଁରେ ବର୍ଷା ଯୋଗୁଁ ଅମଳ କ୍ଷମ ଧାନ ଗଜା ହୋଇଯାଇଛି । ଆଉ କେତେକ ସ୍ଥାନରେ ମଣ୍ଡିରେ ଗଦା ହୋଇଥିବା ଧାନ ବିକ୍ରି ନହୋଇ ପାରି ବର୍ଷାରେ ପୁରା ଭିଜିଯାଇଛି । ଯାହାକୁ ଦେଖିବା ପରେ ଚାଷୀର ସବୁ ଆଶା ଧୂଳିସାତ୍ ହୋଇଯାଇଛି ।

ହରଭଙ୍ଗା ବ୍ଲକର ୩୪୦ ହେକ୍ଟର ଜମିରେ ଡାଳୁଅ ଧାନ ଚାଷ କରିଥିଲେ ଚାଷୀ । ପ୍ରାୟ ଅଧିକାଂଶ ଜମିରେ ଅମଳ ଧାନ ବର୍ଷାରେ ଲଘୁଚାପ ବର୍ଷା ଭିଜି ନଷ୍ଟ ହୋଇଯାଇଛି । ଧାନକୁ ନିମ୍ନମାନର କରି ମଣ୍ଡିରୁ ମିଲରମାନେ ଉଠାଉନଥିବା ବେଳେ ଚାଷୀ ସରକାରୀ ସହୟାତା ପାଇଁ ନିବେଦନ କରିଛନ୍ତି । ସେପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ । ସରକାରଙ୍କ ପକ୍ଷରୁ ଯାହା ନିର୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ । ଖରିଫ ୠତୁରେ ଧାନ ଚାଷ କରିବେ କଣ ରବି ଧାନ ବିକ୍ରିକୁ ନେଇ ଚିନ୍ତାରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଚାଷୀ ।