ଜଣେ ପୁଅ ଅଫିସର, ଆଉ ଜଣେ ନେତା । ପୋକ ସାଲୁବାଲୁ ହୋଇ ରାଜରାସ୍ତାରେ ମୃତ୍ୟୁର ଭିକ ମାଗୁଛି ମା’ । ବୃଢ଼ୀ ବୟସରେ ସାହା ହେଲେନି ଏସି ରୁମରେ ମଉଜ କରୁଥିବା ପୁଅ । ଦୟନୀୟ ଅବସ୍ଥାରେ ରାସ୍ତା କଡ଼ରେ ଲୋଟୁଛି ଜନ୍ମଦାତ୍ରୀ । ମୁହଁରେ ଗାଳି ଦେଇ ଅତି ସରାଗରେ ଦେହର ଧୂଳି ପୋଛୁଥିବା ମା’ ଆଜି ଅଲୋଡ଼ା ।

575

କନକ ବ୍ୟୁରୋ : ପୁତ୍ ନାମକ ନର୍କରୁ ଉଦ୍ଧାର କରିବ କ’ଣ ନର୍କ ଯନ୍ତ୍ରଣା ଦେଉଛି ପୁଅ । ଏସି ରୁମରେ ବସି ପୁଅ ମଉଜ କରୁଥିବା ବେଳେ ରାସ୍ତାକଡ଼ରେ ପୋକ ସାଲୁବାଲୁ ହୋଇ ମୃତ୍ୟୁର ଭିକ ମାଗୁଛି ମା’ । ବୃଦ୍ଧ କାଳରେ ପୁଅ ସାହାରା ହେବ କୂଳ ରକ୍ଷା କରିବ, ମଲାବେଳେ ମୁଖାଗ୍ନି ଦେଲେ ସ୍ୱର୍ଗ ପ୍ରାପ୍ତି ହେବ । ହେଲେ ବିଡ଼ମ୍ବନାର ବିଷୟ ବଡ଼ ବାବୁ ହେବାପରେ ଚେୟାରରେ ଥଣ୍ଡା ପବନ ଖାଉଥିବା ପୁଅ ମମତାର ମୂଲ ବୁଝିଲାନି । ବିନା ସ୍ୱାର୍ଥରେ ବଳିଦାନ ଦେଇ କିଛି ମାଗୁନଥିବା ଜନ୍ମଦାତ୍ରୀ ଆଜି ଅଲୋଡ଼ା ପାଲଟିଗଲା । ଛାତି ଚିରି ଅମୃତ ଦେଇଥଲା ଯେ ଏଇ ଦିନ ଦେଖିବାକୁ ପଡ଼ିଲା । ଦୁଇ ପୁଅ ଥାଉ ଥାଉ ଆଜି ସାତପର ହୋଇଗଲା ମା’ । ଅଦୃଶ୍ୟ ଭାଇରସର ଅଜଣା ସଙ୍କଟ ଭିତରେ ବି ସାହା ହେଲେନି ଚକାଚକ୍ ଅଫିସରେ ବସି ଗୋଡ଼ ହଲାଉଥିବା ପୁଅ । ତେବେ ଏହି ବୃଦ୍ଧାଙ୍କ ଦୟନୀୟ ଅବସ୍ଥା ଦେଖି କିଛି ପୋଲିସ କର୍ମଚାରୀ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

କୁଳାଙ୍ଗାର ପୁଅ ଜନ୍ମ କଲେ ଯାହା ହୁଏ । ଏହି ବୃଦ୍ଧା ମହିଳାଙ୍କ କ୍ଷେତ୍ରରେ ତାହା ହେଇଛି । ପଞ୍ଜାବର ଭଟିଣ୍ଡା ସହରରେ ରାସ୍ତାକଡ଼ରେ ଗଡ଼ୁଥିବା ୮୦ ବର୍ଷୀୟ ମହିଳାଙ୍କୁ ଦେଖିଲେ ବାଟଚଲା ଲୋକଙ୍କ ଆଖି ମଧ୍ୟ ଲୋତକରେ ଭରିଯାଉଛି । ବୟସର ଅପରାହ୍ନରେ ନାତିନାତୁଣୀଙ୍କ ସହ ସମୟ ବିତାଇବେ କ’ଣ ତାଙ୍କ ମୁଣ୍ଡରେ ଘା ହୋଇ ପୋକ ହୋଇଗଲା । ଆଉ ଅସହ୍ୟ ଯନ୍ତ୍ରଣାରେ ଘାଣ୍ଟି ହେଲେ ବୃଦ୍ଧା । ପେଟରୁ କାଟି ପୁଅକୁ ଖାଇବା ଦେଇଥିଲେ ଯେ ଆଜି ଭୋକଉପାସରେ ରାଜରାସ୍ତାରେ ଗଡ଼ୁଛନ୍ତି । ମୁଣ୍ଡକୁ ହାତ ପାଇବା ପରେ ମମତା ଭୁଲି ମା’କୁ ରାସ୍ତାକଡ଼ରକୁ ଠେଲି ଦେଲେ । ଦୁର୍ଭାଗ୍ୟର କଥା ହେଲେ ମହିଳାଙ୍କ ବିଷୟରେ ଛାନଭିନ କରିବା ପରେ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ ପୋଲିସ କର୍ମୀ । ବୃଦ୍ଧା ଜଣକ ଅତି ସମ୍ଭ୍ରାନ୍ତ ପରିବାରର ବୋଲି ଖବର ମିଳିଥିଲା । ଦୁଇ ପୁଅ ମଧ୍ୟରୁ ଜଣେ ପୁଅ ଉଚ୍ଚପଦସ୍ଥ ଅଧିକାରୀ ହୋଇଥିବା ବେଳେ ଆଉ ଜଣେ ନେତା ସାଜି ଜନତାଙ୍କ ସେବା କରୁଥିବା ଜାଣିବାକୁ ପାଇଲେ । କେବଳ ଏତିକି ନୁହେଁ ମହିଳାଙ୍କ ନାତୁଣୀ ମଧ୍ୟ ଜଣେ କ୍ଲାସୱାନ ଅଫିସର୍ ହୋଇଥିବା ବେଳେ ଏହି ମହିଳାଙ୍କ ନାତି ଜଣେ ପୋଲିସ୍ ଅଫିସର୍ ।

ତେବେ ଏହି ହୃଦୟବିଦାରକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଲୋଖଦେଖାଣିଆ ମେଡ଼ିକାଲରେ ହାଜର ହୋଇଯାଇଥିଲେ ବଡ଼ପୁଅ । ଆଉ ନିନ୍ଦାଅପବାଦ ଭୟରେ ବୁଢ଼ୀମା’କୁ ଘରକୁ ନେଇ ଆସିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ଘରକୁ ଆସିବା ପରେ ମଧ୍ୟ ଶାନ୍ତିରେ ଜୀବନ ଜିଇଁପାରିଲେନି ବୃଦ୍ଧା ମହିଳା ଜଣକ । ଅପେକ୍ଷାରେ ଅପେକ୍ଷାରେ ମୁଦି ହୋଇଗଲା ମମତାର ଆଖି । ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଗଲା । ଏବଂ ପରିବାର ଲୋକ ଲୁଚିଛପି ତାଙ୍କର ଅନ୍ତିମ ସଂସ୍କାର କରିନେଲେ । ବୃଦ୍ଧ ମହିଳାଙ୍କ ଜଣେ ନାତି ପୋଲିସରେ ଥିବା ଯୋଗୁଁ ପୋଲିସ୍ ବାବୁମାନେ ଚୁପ୍ ହୋଇ ବସିରହିଛନ୍ତି । ପରିବାର ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ ।