ଜୟପୁର ବୋରିଗୁମା ଅଂଚଳରୁ ବିପୁଳ ବିସ୍ଫୋରକ ଜବତ, ୩ ଗିରଫ

39

କନକ ବ୍ୟୁରୋ : କୋରାପୁଟ ବୋରିଗୁମା ଅଂଚଳର ଜୟନ୍ତଗିରିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହି ବିସ୍ଫୋରକକୁ ବେଆଇନ ଭାବେ ଘରେ ରଖି କାରବାର ଚାଲିଥିଲା । ବିଶେଷ ସୂତ୍ରରୁ ଖବର ପାଇ ଇରିଗେସନ କଲୋନିର ନାଗେଶ୍ୱର ରାଓଙ୍କ ଘରେ ପୋଲିସ ଚଢଉ କରିଥିଲା । ବେଆଇନ ଭାବେ କୁଆରି ବ୍ଲାଷ୍ଟିଂ ପାଇଁ ଏହି ବିସ୍ଫୋରକ ବ୍ୟବହାର କରୁଥିବା କୁହାଯାଉଛି । ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି ।

ଗିରଫଙ୍କ ମଧ୍ୟରେ ଅଛନ୍ତି ନାଗେଶ୍ୱର ରାଓ ଏବଂ ତାଙ୍କ ୨ ସହଯୋଗୀ ଶିବାରାମ ପାଣିଗ୍ରାହୀ ଓ ସୁବାସ ସାହୁ । ପ୍ରକୃତରେ ଏହି ବିସ୍ଫୋରକ ସାମଗ୍ରୀ କେଉଁ କାମରେ ବ୍ୟବହାର ହେଉଥିଲା ଓ କୁଆଡୁ ଆସିଲା ସେନେଇ ଅଧିକ ତଦନ୍ତ କରୁଛି ପୋଲିସ । ଜବତ କରାଯାଇଥିବା ସାମଗ୍ରୀ ଗୁଡ଼ିକରେ ରହିଛି ୨୬ ପକେଟ ବୈଦ୍ୟୁତିକ ବିସ୍ଫୋରକ, ୩ ଟି କଡ଼େକ୍ସ ତାର, ୩୮ ପକେଟ ସେଫଟି ଫିଉଜ, ୪୨୨ ନନ୍-ଇଲେକଟ୍ରିକାଲ ଡ଼େଟୋନେଟର, ୨ ବସ୍ତା ଆମୋନିଆ ନାଇଟ୍ରେଟ୍ । ଗିରଫଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ତନାଘନା ଚଳାଇଛି ।