ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଆଜି ଠାରୁ ଖୋଲିବ ଢାବା ଓ ବହି ଦୋକାନ । ସାମାଜିକ ଦୂରତା ମାନିବାକୁ ପ୍ରଶାସନର କଡା ନିଷ୍ପତ୍ତି । ଢାବାରେ ଶୌଚାଳୟ କରିବା ବାଧ୍ୟତାମୂଳକ ।

508

କନକ ବ୍ୟୁରୋ : ଆଜି ଠାରୁ ଭଦ୍ରକରେ ଖୋଲା ରହିବ ଢ଼ାବା ଓ ବହିଦୋକାନ । ଆଜିଠୁ ଭଦ୍ରକ ସହରରେ ଖୋଲିବ ବହି ଦୋକାନ । ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ବହି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁଦିନ ବହି ଦୋକାନ ଖୋଲିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ଭଣ୍ଡାରୀପୋଖରୀ ଓ ବାସୁଦେବପୁରରେ ଖୋଲିବନି ବହି ଦୋକାନ ।ସେହିପରି ଆଜିଠୁ ଭଦ୍ରକରେ ଢାବା ଖୋଲିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଢାବାରେ ଶୌଚାଳୟ କରିବା ବାଧ୍ୟତାମୂଳକ । କିନ୍ତୁ ଢାବାରେ କୌଣସି ଲୋକ ଖାଇପାରିବେନି । ଲୋକେ ଢାବାରୁ କେବଳ ପାର୍ସଲ ନେଇପାରିବେ । ସାମିଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୁଧବାର ୮୩ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଅଂଚଳର ବୋଲି ଜଣାପଡିବା ପରେ ଆକ୍ରାନ୍ତ ରହୁଥିବା ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡା ଓ ଚିତାଳ ପଂଚାୟତର ୮ଟି ଗାଁକୁ କଂଟେନମେଂଟ ଅଂଚଳ ବୋଲି ଘୋଷଣା କରାଯାଇଛି । ଏହି ଅଂଚଳରେ ୮୭୫ ପରିବାରର ୩ ହଜାର ୫୭୬ ଜଣ ବ୍ୟକ୍ତି ରହୁଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏହି ଅଂଚଳକୁ ମେ ୫ତାରିଖ ରାତି ୮ଟା ପର୍ଯ୍ୟନ୍ତ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ସମୟରେ ଏହି ଅଂଚଳର ଲୋକ ବାହାରକୁ କିମ୍ବା ବାହାର ଲୋକ ସେହି ଅଂଚଳ ଭିତରକୁ ପ୍ରବେଶ କରି ପାରିବେ ନାହିଁ । ୮୩ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ୨୯ ତାରିଖରେ କୋଲକାତାର ଗଙ୍ଗାଘାଟରୁ ବାହାରିଥିଲେ । ୩୦ ତାରିଖରେ ସଠିପୁରରେ ପହଁଚିଥିଲେ । ସେଠାରୁ ଏକ ଗାଡି ଯୋଗେ ଆସିଥିଲେ । ଫେରିବା ପରେ ସେ ୧୪ ଦିନ ଘରେ ସଂଗରୋଧରେ ରହିଥିଲେ । ସେସମୟରେ ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା । ତା ପରେ ସେ ବିଭିନ୍ନ ସ୍ଥାନକୁ ଯିବାଆସିବା କରିବା ସହ ପରିବାର ଓ ଗାଁ ଲୋକଙ୍କ ସହ ଅନାୟସରେ ମିଳାମିଶା କରିଥିଲେ । ତେଣୁ ତାଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏସବୁର କଂଟାକ୍ଟ ଟ୍ରେସିଂ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିବା ପରେ ପ୍ରଶାସନ ଓ ପୁଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । ବିଶେଷ କରି କଲିକତା ଫେରନ୍ତା ଅଧିକ ଚିନ୍ତା ବଢାଇ ଦେଇଛି । ଗତକାଲି ଦିନ ଓ ରାତି ସାରା ପୁଲିସ ବାସୁଦେବପୁର ବ୍ଲକର ନଅଟି ପଞ୍ଚାୟତର ୨୨ ଗାଁ ଓ ଭଣ୍ଡାରିପୋଖରୀ ବ୍ଲକର ୨ ପଞ୍ଚାୟତର ୨୨ଟି ଗାଁ ରେ ପଇଁତରା ମାରିଛନ୍ତି । ଏଇ କଣ୍ଟେନମେଣ୍ଟ ଜୋନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । କଲିକତା ଫେରନ୍ତାଙ୍କୁ ଖୋଜୁଛି ପ୍ରଶାସନ। କଲିକତା ଲିଙ୍କ୍ ଖୋଜୁଛି ପୁଲିସ। ଦୁଇ ଦିନରେ ଦୁଇ ବ୍ଲକରୁ ୩୦୦ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି ।