ସୁରଟ ଓ ମହାରାଷ୍ଟ୍ରରୁ ଫେରିଲେ ୩୦୦୦ରୁ ଅଧିକ ଦାଦନ : ବ୍ରହ୍ମପୁର ଷ୍ଟେସନରେ ପ୍ରାଥମିକ ଯାଞ୍ଚ ପରେ ଘରକୁ ଛାଡିଲା ପ୍ରଶାସନ, ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ  

3,331

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଲକ ଡ଼ାଉନ ଚାଲିଥିବା ବେଳେ ଜିଲ୍ଲାକୁ ଫେରିଛନ୍ତି ଶହ ଶହ ଦାଦନ ଶ୍ରମିକ । କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟରେ ତାଲା ବନ୍ଦ ନିଷ୍ପତ୍ତି ଲାଗୁ ହେବା ପରେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିଛନ୍ତି । ସମସ୍ତ ଦାଦନ ଶ୍ରମିକଙ୍କର ପ୍ରାରମ୍ଭିକ ଯାଞ୍ଚ କରିବା ପରେ ଘରକୁ ପଠାଇ ଦେଇଛି ଜିଲ୍ଲା ପ୍ରଶାସନ । ଆଉ ପ୍ରଶାସନ କହିଛି, ଏମାନେ ହୋମ କ୍ୱାରେନଟାଇନ୍ ବା ଘରେ ସଙ୍ଗରୋଧ ହୋଇ ରହିବେ । ହେଲେ ପ୍ରାୟ ଅଧିକାଂଶ ଦାଦନ ଗ୍ରାମାଞ୍ଚଳର ହୋଇଥିବାରୁ ଏମାନେ ଘରେ ସଙ୍ଗରୋଧ ହୋଇ ରହିବା ସମ୍ଭବ ତ? ଏବେ ଏମିତି ପ୍ରଶ୍ନ ଉଠିଛି ।

ବସ ପାଖରେ ପ୍ରବଳ ଭିଡ । ବସ ଚଢି ଗାଁକୁ ଫେରିବା ପାଇଁ ସମସ୍ତେ ବ୍ୟସ୍ତ । କରୋନା ଭୁତାଣୁ ମୁକାବିଲା ପାଇଁ ରାଜ୍ୟରେ ଲକ ଡାଉନ ବା ତାଲା ବନ୍ଦ ନିଷ୍ପତି ଜାରି ରହିଥିବା ବେଳେ ଏହି ଶ୍ରମିକମାନେ ଟ୍ରେନ ଯୋଗେ ମହାରାଷ୍ଟ୍ରର ମୁମ୍ବାଇ ଓ ଗୁଜୁରାଟ ସୁରଟରୁ ବ୍ରହ୍ମପୁର ଫେରିଛନ୍ତି । ପରେ ବ୍ରହ୍ମପୁରରୁ ବସ ଯୋଗେ ନିଜ ନିଜ ଘରକୁ ଫେରିବା ପାଇଁ ଭିଡ ଜମାଇଛନ୍ତି ।

ଗଞ୍ଜାମ ଜିଲ୍ଲାର ପ୍ରାୟ ଅଧିକାଶ ଲୋଲ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥାନ୍ତି । କିଛି ଶ୍ରମିକ ପ୍ରଶାସନ ପାଖରେ ପଂଜିକରଣ କରିଛନ୍ତି, ଆଉ କିଛି ପଂଜିକରଣ କରିନାହାନ୍ତି । ତେବେ ବର୍ତମାନ ପରିସ୍ଥିତିରେ ବ୍ରହ୍ମପୁର ଷ୍ଟେସନରେ ସବୁ ଶ୍ରମିକଙ୍କର ପ୍ରାଥମିକ ଯାଂଚ କରି ଘରକୁ ପଠାଇ ଦେଇଛି ପ୍ରଶାସନ । ଆଉ ଆଗାମୀ ୧୪ ଦିନ ହୋମ କ୍ୱାରେନଟାଇନ୍ ବା ଘରେ ସଂଗରୋଧ ହୋଇ ରହିବା ପାଇଁ  ପରାମର୍ଶ ଦେଇଛନ୍ତି ପ୍ରଶାସନିକ ଅଧିକାରୀ ।

କରୋନା ଭୂତାଣୁ ପ୍ରଭାବିତ ଅଂଚଳରୁ ଆସିଥିବାରୁ ଦାଦନ ଶ୍ରମିକଙ୍କୁ ଘରେ ସଂଗରୋଧ ହୋଇ ରହିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ । ହେଲେ ଗ୍ରାମାଂଚଳରେ ସଂଗରୋଧ ହୋଇ ରହିବା କେତେ ସମ୍ଭବ ତ! କାରଣ ଗାଁ ଗହଳିରେ ଯୌଥ ପରିବାର ରହିଛି । ଗୋଟିଏ ଦୁଇ ଟି ଘରେ ଏକାଧିକ ଲୋକ ରହିଥାନ୍ତି । ତେବେ ଏଭଳି ସ୍ଥିତିରେ ଜଣେ ହୋମ କ୍ୱାରେନଟାଇନ୍ ରହିବା ସହଜ ନୁହେଁ । କିନ୍ତୁ କରୋନା କବଳରୁ ନିଜ ପରିବାର ଓ ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ଶ୍ରମିକମାନେ ନିଜେ ଘରେ ସଂଗରୋଧ ହୋଇ ରହିବା ନିହାତି ଆବଶ୍ୟକ । ଏକଥା ସେମାନେ ନିଜେ ଭଲଭାବରେ ବୁଝିବା ଉଚିତ୍ । ଆଉ ଏହା ଦ୍ୱାରା ସେମାନେ ନିଜେ ଓ ନିଜ ପରିବାରୁ ସୁରକ୍ଷିତ ରଖିପାରିବେ ।