ପୁଣି ବମିଖାଲ ଓଭରବ୍ରିଜରେ ଦୁର୍ଘଟଣା ! ଲୁହା ରେଲିଂରେ ଚାପି ହୋଇଗଲେ ୨ ଶ୍ରମିକ, ଜଣେ ମୃତ ଜଣେ ଗୁରୁତର

76

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲ ଓଭରବ୍ରିଜରେ ଘଟିଛି ପୁଣି ଏକ ଦୁର୍ଘଟଣା । କାମ ଚାଲିଥିବା ବେଳେ ରେଲିଂ ଭୁଶୁଡି ଯିବା ସହ ଏହାତଳେ ଚାପି ହୋଇଯାଇଥିଲେ ୨ ଜଣ ଶ୍ରମିକ । ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ ଓ ଜଣେ ଆହତ ହୋଇଛନ୍ତି । ମୃତ ଶ୍ରମିକଙ୍କ ନାମ ହେଲା ଅଜୟ ଭୂମିଚ । ଅଜୟ ଭୂମିଚଙ୍କ ଘର ସୁନ୍ଦରଗଡ଼ର ଲାଠିକଟା ଏବଂ ତାଙ୍କ ବୟସ ୩୮ ବର୍ଷ ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ହୋଇଥିବା ଶ୍ରମିକଙ୍କ ନାମ ହେଲା ଆନନ୍ଦ କୁମାର ନାୟକ । ଘର ସୁନ୍ଦରଗଡ଼ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ । କିନ୍ତୁ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷିତ କରିଛନ୍ତି ଡାକ୍ତର ।

ସୂଚନାଯୋଗ୍ୟ ଲୁହା ରେଲିଂ ତଳୁ ଉଭୟଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବମିଖାଲ ଓଭରବ୍ରିଜକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । କିଛି ମାସ ଆଗରୁ ଓଭରବ୍ରିଜର ସ୍ଲାବ ଭୁଶୁଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଏବେ ପୁଣି ଏକ ଦୁର୍ଘଟଣା ବମିଖାଲ ଓଭରବ୍ରିଜର ନିର୍ମାଣକୁ ପୁଣି ବିବାଦୀୟ କରିଛି । ତେବେ କିଭଳି ଆଉ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଙ୍କିଲା, ତାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା ।

ଆଜିର ଦୁର୍ଘଟଣା ପୁଣି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

– କେଉଁ ପରିସ୍ଥିତିରେ ପୁଣି ବମିଖାଲ ଓଭରବ୍ରିଜରେ ଘଟିଲା ଦୁର୍ଘଟଣା ?
– ଶ୍ରମିକଙ୍କ ସୁରକ୍ଷା ପ୍ରତି ଅଣଦେଖା କରାଯାଇଥିଲା କି ?
– ଠିକା ସଂସ୍ଥା ‘ପଣ୍ଡା ଇନଫ୍ରା’କୁ ଦୁର୍ଘଟଣା ପାଇଁ ଦାୟୀ କରାଯିବ କି ?
– ନିମ୍ନମାନର ଲୁହା ବ୍ୟବହାର କରାଯାଇଥିଲା କି ?
– ଦୁର୍ଘଟଣାର କାରଣ ନିମ୍ନମାନର କାମ କି ?
– ଶ୍ରମିକଙ୍କ ଜୀବନକୁ ନେଇ ଖେଳ ଖେଳୁଛି କି ଠିକା ସଂସ୍ଥା ?
– ବାରମ୍ବାର କାହିଁକି ଓଭରବ୍ରିଜ ନିର୍ମାଣ ବେଳେ ଦୁର୍ଘଟଣା ଘଟୁଛି?

ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପୁରୀ-କଟକ ରୋଡରେ ନିର୍ମାଣାଧୀନ ଅଛି ବମିଖାଲ ଓଭରବ୍ରିଜ । ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ନେଇ ଥିବା ଡେଡଲାଇନ ବାରମ୍ବାର ଘୁଂଚା ଯାଉଥିବା ବେଳେ, ନିମ୍ନମାନର କାମ ଆଉ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ବାରମ୍ବାର ସ୍ଥିତିକୁ ବିବାଦୀୟ କରିଛି । ପଣ୍ଡା ଇନଫ୍ରାର ମାଲିକ ମଧ୍ୟ ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିବା ବେଳେ ଠିକାଦାର ସଂସ୍ଥାକୁ ବ୍ଲାକଲିଷ୍ଟେଡ ମଧ୍ୟ କରାଯାଇଛି ।