ରାତିର ଘନ ଅନ୍ଧାର ଭିତରେ ମିଂଜି ମିଂଜି ଆଲୁଅରେ ଚାଲିଥିଲା ବମିଖାଲ ଓଭରବ୍ରିଜ ନିର୍ମାଣ ? ପେଟ ପାଟଣା ପାଇଁ ସହରକୁ ଧାଇ ଆସିଥିବା ଶ୍ରମିକଙ୍କ ଚାଲିଗଲା ଜୀବନ, ହେଲେ ଏଥିପାଇଁ ଦାୟୀ କିଏ ?

64

କନକ ବୁରୋ : ଜୀବନ ଜୀବିକାର ସନ୍ଧାନରେ ସହରକୁ ଧାଇଁ ଆସୁଥିବା ଶ୍ରମିକ କେତେ ସୁରକ୍ଷିତ ବମିଖାଲର ଦୁର୍ଘଟଣା ହିଁ ବୟାନ କରୁଛି । ଯେଉଁମାନେ ପ୍ରକୃତରେ ରାଜଧାନୀକୁ ଗଢ଼ୁଛନ୍ତି, ଚକାଚକ୍ ରାସ୍ତା ଓ ଆକାଶଚୁମ୍ଭୀ ନିର୍ମାଣ କରୁଛନ୍ତି, ସେମାନଙ୍କର ଅବସ୍ଥା କ’ଣ, ଗତକାଲିର ଅଘଟଣରୁ ସ୍ପଷ୍ଟ ହେଉଛି । କେମିତି ଘଟିଥିଲା ଏହି ଅଘଟଣ ଆଉ କେଉଁ ପରିସ୍ଥିତିରେ ଚାଲିଗଲା ଜଣେ ଶ୍ରମିକର ଜୀବନ ?

ୟପେଟ ପାଟଣା ପାଇଁ ପ୍ରାୟ ୪ଶହ କିଲୋମିଟର୍ ଧାଇଁ ଆସିଥିବା ଜଣେ ଶ୍ରମିକଙ୍କୁ ଏମିତି କରୁଣ ପରିସ୍ଥିତିର ସାମ୍ନା କରିବାକୁ ହେବ ହୁଏତ କେହି କଳ୍ପନା ବି କରିନଥିଲେ । ଜୀବିକାର ସନ୍ଧାନରେ ଭିଟାମାଟି ଛାଡି ଧାଇଁ ଆସିଥିବା ଶ୍ରମିକଟି ବୋଧେ ଭାବି ରଖିଥିଲା-ଦୁଇ ପଇସା ରୋଜଗାର କରି ଘରକୁ ଫେରିଲେ ପରିବାର ଖୁସିରେ ଚଳିବ । ହେଲେ ଯେଉଁ ଲକ୍ଷ୍ୟ ନେଇ ଭୁବେନେଶ୍ୱର ଧାଇଁ ଆସିଥିଲା ସୁନ୍ଦରଗଡ଼ର ଏହି ଶ୍ରମିକ, ସେହି ଲକ୍ଷ୍ୟ ପୁରଣ ହେବା ପୁର୍ବରୁ ତାକୁ ଏହି ଦୁନିଆ ବିଦାୟ ନେବାକୁ ପଡ଼ିଛି । ସେତେ ଯେମିତି ମୃତ୍ୟୁର ଓଭରବ୍ରିଜରୁ ବଂଚିବାର ସୁଯୋଗ ଖୋଜିବା ଶ୍ରମିକଙ୍କ ପାଇଁ ମହଙ୍ଗା ପଡ଼ିଯାଇଛି ।

ରାତିର ଘନ ଅନ୍ଧାର ଭିତରେ ମିଂଜି ମିଂଜି ଆଲୁଅ । ତା’ରି ଭିତରେ ଚାଲିଥାଏ ବହୁ ଚର୍ଚ୍ଚିତ ବମିଖାଲ ଓଭରବ୍ରିଜ୍ କାମ । ସେଂଟ୍ରିଂ ଓ ରଡ୍ ବାନ୍ଧୁଥିବା ବେଳେ ଅଚାନକ୍ ଜୋରରେ ଏକ ଶବ୍ଦ ହୋଇଥିଲା । ପାଖକୁ ଯାଇ ଦେଖିଲା ବେଳକୁ ତଳେ ଚାପି ହୋଇ ଛଟପଟ ହେଉଛନ୍ତି ଦୁଇ ଜଣ ଶ୍ରମିକ । ପବନ ବେଗରେ ଭୁବନେଶ୍ୱର ସାରା ବ୍ୟାପିଗଲା ଘର । ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ, ପୁଲିସ୍ ଓ ସ୍ଥାନୀୟ ଲୋକ ପହଂଚିଗଲେ । ଲୁହା ଛଡ କାଟି ଦୁଇ ଶ୍ରମିକଙ୍କୁ ଅତିଗୁରୁତର ଅବସ୍ଥାରେ ବାହାର କରାଯାଇ କ୍ୟାପିଟାଲ ହସ୍ପିଟାଲ ନିଆଗଲା ।

ଆଉ କ୍ୟାପିଟାଲ ହସ୍ପିଟାଲରୁ ଯେଉଁ ଖବର ଆସିଲା, ତାହା ପୁଣି ଥରେ ୭ମାସ ତଳ ଦୁର୍ଘଟଣାକୁ ପୁଣି ଥରେ ତାଜା କରିଦେଲା । କ୍ୟାପିଟାଲ ହସ୍ପିଟାଲରେ ଆଖିବୁଜି ଦେଲେ ସୁନ୍ଦରଗଡ଼ ଲାଠିଗଡ଼ାର ଅଜୟ ଭୂମିଚ । ଆଉ ଜଣେ ଶ୍ରମିକ ଆନନ୍ଦ ନାୟକଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା ।

ସେହି ଓଭରବ୍ରିଜ୍, ସେହି ଠିକା ସଂସ୍ଥା । ଆଉ ଅଘଟଣର ପୁନରାବୃତିି । ଯାହାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

– ଗୋଟିଏ ପରେ ଗୋଟିଏ ଅଘଟଣ ଭିତରେ ନିର୍ମାଣ ହୋଉଥିବା ଏହି ଓଭରବ୍ରିଜ୍ ସୁରକ୍ଷିତ କି ?

– ଓଭରବ୍ରିଜ୍ ଉପରେ କିମ୍ବା ତଳେ ଲୋକ ସୁରକ୍ଷିତ ଭାବରେ ଯାତ୍ରା କରିପାରିବେ ତ ?

– ଭବିଷ୍ୟତରେ ଏହି ଅଘଟଣ ଘଟିଲେ ସେଥିପାଇଁ କାହାକୁ ଦାୟି କରାଯିବ ?

ଆଉ ଏହି ସବୁ ପ୍ରଶ୍ନ ଭିତରେ କିନ୍ତୁ ଲିଭି ଯାଇଛି ଜଣେ ଶ୍ରମିକଙ୍କ ଜୀବନ ଦୀପ । ଆଉ ଜଣେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଉ ଏପଟେ ଅଜୟ ଭୂମିଚଙ୍କ ମୃତଦେହ ଗାଁରେ ପହଂଚିଛି, କିଛି କ୍ଷତିପୂରଣର ଟଙ୍କାର ନେଇ ।