ବୋଲବମ୍ ଉପରେ କଟକଣା । କାଉଡ଼ିଆଙ୍କୁ ମନ୍ଦିର ମନା । କରୋନା ସଂକ୍ରମଣ ରୋକିବାକୁ ଶୈବପୀଠରେ ହେବନି ଜଳାଭିଷେକ । ଦେବାଳୟ ବନ୍ଦ ରହିବା ସହ ପୁଷ୍କରିଣୀରୁ ପାଣି ଉଠାଇପାରିବେନି ଶିବ ଭକ୍ତ

345

କନକ ବ୍ୟୁରୋ : ଚଳିତ ବର୍ଷ ବୋଲବୋମ୍ ଉପରେ କଟକଣା । କାଉଡ଼ିଆଙ୍କୁ ମନ୍ଦିର ମନା । ଶ୍ରାବଣୀ ପାଣି ଢଳା ଉପରେ ରୋକ୍ । ସଂକ୍ରମଣ ଭୟ ଭିତରେ କାଉଡ଼ିଆଙ୍କ ଭିଡ଼ ଆଡ଼େଇବାକୁ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ । ସେମାନଙ୍କୁ ଶିବ ମନ୍ଦିରରେ ଶ୍ରାବଣୀ ପାଣି ଢ଼ାଳିବାକୁ ଅନୁମତି ଦିଆଯିବ ନାହିଁ । ରାଜ୍ୟରେ ଜୁଲାଇ ୩୧ ତାରିଖ ଯାଏ କରୋନା ଲକ ଡାଉନ ଜାରି ରହିଛି । ଏହି ସମୟରେ ସାମାଜିକ , ଧାର୍ମିକ , ରାଜନୈତିକ ସମାବେଶ କିମ୍ବା ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ତେଣୁ ଶ୍ରାବଣମାସରେ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର । ଏହି ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ।

ଆଉ ମାତ୍ର ଗୋଟିଏ ଦିନ ପରେ ଶ୍ରାବଣ ସୋମବାର । ଏହି ମାସର ସୋମବାରେ ଶିବଭକ୍ତମାନେ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିଥାଆନ୍ତି । ଶନିବାର, ରବିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଜଳ ସଂଗ୍ରହ କରି କାଉଡ଼ିଆ ମାନେ ସୋମବାରରେ ଶିବଲିଙ୍ଗରେ ଜଳ ଢ଼ାଳନ୍ତି । ଅନ୍ୟ ବର୍ଷମାନଙ୍କରେ ରାସ୍ତାରେ ଖାଲି ପାଦରେ ଚାଲି ଚାଲି ବୋଲବମ ଭକ୍ତଙ୍କ ଭିଡ଼ ଜମେ । ଅତୀତ କିଛି ବର୍ଷରେ ଏହି ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ତେବେ ଚଳିତ ବର୍ଷ କରୋନା ମହାମାରୀ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଆଉ ଏପରି ସମୟରେ ମନ୍ଦିର ଗୁଡ଼ିକରେ ଭିଡ଼ି ଲାଗିଲେ ସଂକ୍ରମଣ ଭୟ ଥିବାରୁ କାଉଡ଼ିଆ ପ୍ରକିୟାକୁ ବନ୍ଦ ରଖାଯିବ । କୌଣସି ଭକ୍ତ ଜଳଲାଗି କରିବେ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶାନାମ ଜାରି କରାଯାଇଛି ଏବଂ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ତେବେ ଜିଲ୍ଲା ପ୍ରଶାସନ ଏହି ନିର୍ଦ୍ଦେଶାନାମାର ତଦାରଖ କରିବେ ।