ବଲାଙ୍ଗୀରର ପୁଇଁତଳା ବ୍ଲକରେ ପାଇଖାନା ଦୁର୍ନୀତି : ନିମ୍ନମାନର କାମ ସହ ପୁରୁଣା ପାଇଖାନାକୁ ରଙ୍ଗ କରି ଟଙ୍କା ଲୁଟ୍ ଅଭିଯୋଗ, ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକା

126

କନକ ବ୍ୟୁରୋ : ବଲାଙ୍ଗୀର ପୁଇଁତଳା ବ୍ଲକରେ ପାଇଖାନା ଦୁର୍ନୀତି ଅଭିଯୋଗ । ନିମ୍ନମାନର କାମ ସହ ପୁରୁଣା ପାଇଖାନାକୁ ରଙ୍ଗ କରି ଟଙ୍କା ଲୁଟ ହୋଇଛି । ଠିକାଦାର ଓ ଜେଇ ମିଳିମିଶି ସରକାରୀ ତହବିଲରୁ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି ।

କେଉଁଠି ପାଇଖାନା ଉପରୁ ଛାତ ଉଡିଯାଇଛି । କେଉଁ ପାଇଖାନାର କବାଟ ନାହିଁ, କାନ୍ଥରେ ହାତ ମାରିଲେ ପ୍ଲାଷ୍ଟର ଖସି ଯାଉଛି, ପୁଣି କେଉଁ ପାଇଖାନା ନିର୍ମାଣ ପରେ ଭାଙ୍ଗିବା ଆରମ୍ଭ କଲାଣି । କେଉଁଠି ଖର୍ଚ୍ଚ କମାଇବାକୁ ତିନୋଟି ପାଇଖାନା ଏକା ସାଙ୍ଗରେ ତିଆର କରାଯାଇ ଥିବା ମଧ୍ୟ ଦେଖିବାକୁ ମିଳିଛି । ପାଇଖାନାଗୁଡିକୁ ଦେଖିଲେ ଲାଗୁଛି, ଏହା ବ୍ୟବହାର କରିବା ପାଇଁ ନୁହେଁ, କେବଳ ବିଲ ଟଙ୍କା ଉଠାଇ ହଡପ କରିବାକୁ ତିଆରି କରାଯାଇଛି । ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ନଦେଇ ଠିକାଦାର ଓ ଜେଇ ମିଳିମିଶି ଏପରି ନିମ୍ନମାନର କାମ କରିଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀର ଜିଲ୍ଲାରେ ୨୦୧୬-୧୭ ମସିହାରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପୁଇଁତଳା ବ୍ଲକ ପାଇଁ ୨୬ ହଜାର ୯୨୩ଟି ପାଇଖାନା ନିର୍ମାଣ ଆଦେଶ ଆସିିଥିଲା । ପ୍ରାୟ ଏକ ବର୍ଷ ପରେ ଉପରସ୍ତରରୁ ଚାପ ପଡିବା ଯୋଗୁଁ ଏସଏଚଜି ନାମରେ କାମ କରିଥିଲେ ଠିକାଦାରମାନେ । ପ୍ରତି ପାଇଖାନା ବାବଦକୁ ୧୨ହଜାର ଟଙ୍କା ଆସିଥିବା ବେଳେ ଅଳ୍ପ ଟଙ୍କା ଖର୍ଚ୍ଚ କରି ବାକି ଟଙ୍କା ହଡପ କରାଯାଇଛି । ଠିକାଦାର ଓ ପ୍ରଶାସନିକ ଅଧିକାରୀମାନେ ମିଳିମିଶି ପାଇଖାନା ନିର୍ମାଣରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଜେଇ ଓ ବିଡିଓଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ।

ଖାଲି ନିମ୍ନମାନର କାମ ନୁହେଁ, ଗ୍ରାମ୍ୟ ପରିମଳ ଯୋଜନାରେ ତିଆରି ହୋଇଥିବା ପାଇଖାନାକୁ ରଙ୍ଗ ମାରି ମଧ୍ୟ ବିଲ ଉଠାଯାଇଛି । କେବଳ ପୁଇଁତଳା ବ୍ଲକ ନୁହେଁ, ଜିଲ୍ଲାର ଅନ୍ୟ ୧୩ଟି ବ୍ଲକରେ ମଧ୍ୟ ସମାନ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।