କନକ ବ୍ୟୁରୋ : ବିଲଡିଂ ପ୍ଲାନ୍ ଅନୁମୋଦନ ହୋଇନି, ହୋଲଡିଂ ଟିକସ ଦେଉନାହାନ୍ତି, ଟ୍ରେଡ୍ ଲାଇସେନ୍ସ ନାହିଁ, ପାର୍କିଂ ସୁବିଧା ବି ନାହିଁ । ଏହିଭଳି ୮୦ଟି କଲ୍ୟାଣମଣ୍ଡପ ଚାଲିଛି । ସେଗୁଡ଼ିକ ଶୀଘ୍ର ସିଲ୍ ହେବ । ଫେବ୍ରୁଆରି ୨ରୁ ବିଏମ୍ସି ଓ ବିଡିଏର ମିଳିତ ସ୍କ୍ବାଡ୍ କଲ୍ୟାଣମଣ୍ଡପ ସିଲ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଫେବ୍ରୁଆରି ୨ରୁ ୬ତାରିଖ ମଧ୍ୟରେ ଭୁବନେଶ୍ବରରେ ଥିବା ଏହିପରି ବେଆଇନ କଲ୍ୟାଣମଣ୍ଡପକୁ ସିଲ୍ କରିବାକୁ ନିଷ୍ପତ୍ତି ହୋଇଛି । ବିଏମ୍ସିର ତିନିଟି ଜୋନ୍ର ଜୋନାଲ ଡେପୁଟି କମିସନରମାନଙ୍କ ନେତୃତ୍ବରେ ଗଠନ ହୋଇଥିବା ସ୍ବତନ୍ତ୍ର ସ୍କ୍ବାଡ୍ ସେମାନଙ୍କ ଅଞ୍ଚଳରେ ଚଢ଼ଉ କରି ସିଲ୍ କରିବେ। କେଉଁ ଦିନ କେଉଁ କଲ୍ୟାଣମଣ୍ଡପ ସିଲ୍ କଲେ, ତା’ର ତାଲିକା ବିଏମ୍ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଦେବାକୁ ଜୋନାଲ୍ ଡେପୁଟି କମିସନର୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ୯୪ଟି କଲ୍ୟାଣମଣ୍ଡପ ତଥା ବିବାହ ମଣ୍ଡପ ରହିଛି। ସେ ସମସ୍ତ ମଣ୍ଡପ ବେଆଇନ ଭାବେ ଚାଲିଥିବା ସର୍ଭେରୁ ଜଣାପଡ଼ିଥିଲା। ତେଣୁ ସେମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ସଜାଡ଼ିବା ସହ ବିଡିଏ ଓ ବିଏମ୍ସିରୁ ବିଲଡିଂ ପ୍ଲାନ୍ ଅନୁମୋଦନ କରିବାକୁ ମାସେ ସମୟ ଦିଆଯାଇଥିଲା। ଆଜି କଣ୍ଟପୂରିଲା । ୧୪ଟି କଲ୍ୟାଣମଣ୍ଡପ କିଛି ମାତ୍ରାରେ ସେମାନଙ୍କ ଭିତ୍ତିଭୂମି ସଜାଡ଼ିଥିଲେ। ଯେଉଁମାନଙ୍କର ପ୍ଲାନ୍ ଅନୁମୋଦନ ହୋଇନଥିଲା, ସେମାନେ ବିଡିଏ ଓ ବିଏମ୍ସିରେ ଆବେଦନ କରିଥିଲେ। ଏହି ଆଧାରରେ ୧୪ଟି କଲ୍ୟାଣ ମଣ୍ଡପକୁ ବିଏମ୍ସି ପକ୍ଷରୁ ସବୁଜ ସଂକେତ ଦିଆଯାଇଛି। ହେଲେ ଯେଉଁ ୮୦ଟି କଲ୍ୟାଣମଣ୍ଡପ ନିୟମ ମାନିନାହାନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଠାରେ ଯଦି କେହି ବିବାହ ପାଇଁ ବୁକିଂ କରିଥିବେ, ତେବେ ଆମେ ଦାୟୀ ରହିବୁନି। ଲୋକମାନଙ୍କୁ ଏନେଇ ଆଗୁଆ ସତର୍କ କରାଇଥିଲୁ।
ଏହାବାଦ୍ କଲ୍ୟାଣମଣ୍ଡପଗୁଡ଼ିକ ଯୋଗୁଁ ସେହି ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ଉପୁଜୁଥିବାରୁ ଏହାର ସମାଧାନ ପାଇଁ ବିଏମ୍ସି ପକ୍ଷରୁ ଗାଇଡ୍ଲାଇନ୍ ଜାରି ହେବ। ଏଥିରେ କଲ୍ୟାଣମଣ୍ଡପକୁ କେଉଁଠୁ କେଉଁ ପର୍ଯ୍ୟନ୍ତ ବିବାହ ଶୋଭାଯାତ୍ରା ଯିବ, ସେନେଇ ରୁଟ୍ ସ୍ଥିର ହେବ। ଏବେ କମିସନରେଟ୍ ପୁଲିସ ଯେଉଁଭଳି ଶୋଭାଯାତ୍ରା ପାଇଁ ଅନୁମତି ଦେଉଛି, ସେହିପରି ଆଉ ଦିଆଯିବନି। ନୂଆ ରୁଟ୍ ସ୍ଥିର ହେବ। ସର୍ବାଧିକ କେତେ ବାଟ ଶୋଭାଯାତ୍ରା ଯାଇପାରିବ, ସେ ନେଇ ମଧ୍ୟ ଦୂରତା ଧାର୍ଯ୍ୟ ହେବ। କେଉଁ ରୁଟ୍ରେ ଶୋଭାଯାତ୍ରା ଆସିବ, ତାହାର ରୁଟ୍ ମ୍ୟାପ୍ ଗୁଗୁଲ୍ ମ୍ୟାପ୍ରୁ ଡାଉନଲୋଡ୍ କରି ଆବେଦନପତ୍ରରେ ଦେବାକୁ ପଡ଼ିବ। ଏହାକୁ ବିଏମ୍ସି ଓ କମିସନରେଟ୍ ପୁଲିସ ଅନୁମୋଦନ କରିବେ। ଆଗୁଆ ବୁକିଂ ହୋଇଥିଲେ ମଧ୍ୟ କେଉଁ ରୁଟ୍ରେ ଶୋଭାଯାତ୍ରା ଆସିବ, ତାହା ଦେଖାଇବାକୁ ପଡ଼ିବ। ଗୁଗୁଲ୍ ମ୍ୟାପ୍ରୁ ରୁଟ୍ ମ୍ୟାପ୍ ଡାଉନଲୋଡ୍ କରି ଦେବାକୁ ପଡ଼ିବ।