କର୍ତ୍ତବ୍ୟ ଆଗ ପରିବାର ପଛ : କରୋନା ପାଇଁ ଅଟକିଛି ସାରା ଦେଶ, ହେଲେ ଅଟକି ନାହାନ୍ତି ସଫେଇ କର୍ମଚାରୀ

210

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଅଟକିଛି ସାରା ଦେଶ । ହେଲେ ଅଟକି ନାହାନ୍ତି ସଫେଇ କର୍ମଚାରୀ । କରୋନା ମୁକାବିଲା ପାଇଁ ସାଧାରଣ ଲୋକେ ଘରେ ରହୁଥିବା ବେଳେ ସଫେଇ କର୍ମଚାରୀମାନେ ସ୍ୱଚ୍ଛତା ବଜାଇ ରଖିବାକୁ ପରିବାରକୁ ପଛ କରି ବାହାରକୁ ବାହାରିଛନ୍ତି । କରୋନାର ଭୟ ଥିଲେ ବି ପରିବେଶକୁ ପରିଷ୍କାର ରଖିବା ପାଇଁ ଏମାନେ କାମ କରି ଚାଲିଛନ୍ତି । ଏହା ସହ କମ୍ ଦରମା ପାଉଥିବାରୁ ଦିନେ ନଆସିଲେ ପଇସା କଟି ଯିବାର ଭୟ ମଧ୍ୟ ରହିଛି । ଭୁବନେଶ୍ୱରରେ କରୋନା ସଂକ୍ରମଣ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସଚେତନତା ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଏହାରି ମଧ୍ୟରେ ସହରର ପରିଷ୍କାର ପରିଛନ୍ନତାକୁ ବଜାଇ ରଖିବାକୁ କାର୍ଯ୍ୟରେ ଲାଗିଛନ୍ତି ସଫେଇ କର୍ମଚାରୀ ।

ସେପଟେ ଆଜି ସତ୍ୟନଗର ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା କରାଯାଇଛି । ଫଳରେ ସତ୍ୟନଗର ଓ ଏହାର ଆଖାପାଖ ଅଞ୍ଚଳକୁ ସିଲ କରାଯାଇଛି । ଏହି ଅଚଂଳରେ ଲୋକଙ୍କୁ ଘର ବାହାରିବା ଉପରେ କଟକଣା ଜାରି କରାଯାଇଛି । ସତ୍ୟନଗର ଛକରୁ ବିଗବଜାର ଛକ, କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାର୍ଟସ, ପିଡବ୍ଲୁଡି ଡିଭିଜନ -୨ ଓ କ୍ୱାର୍ଟସ କମ୍ପେ୍ଲକ୍ସ ଓ ଅନ୍ୟ ଅଂଚଳକୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳର ସମସ୍ତ ସରକାର ଓ ବେସରକାରୀ ଅଫିସ ବନ୍ଦ ରହିବ । ତେବେ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିକାଲ ସହାୟତା କାମ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।