ପାଣି ମାଡର ପ୍ରଭାବ : ଇସ୍କନ୍ ମନ୍ଦିର ସାମ୍ନାରେ ଜମୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡ଼ିଲେ ବିଏମସି ଓ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ

28

କନକ ବ୍ୟୁରୋ : ଶେଷରେ ଚେତିଲେ କର୍ତ୍ତୃପକ୍ଷ । ଇସ୍କନ୍ ମନ୍ଦିର ସାମ୍ନାରେ ଜମୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡ଼ିଲେ ବିଏମସି ଓ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଅଫିସ୍ରେ ପାଇପ୍ ପାଣି ଭର୍ତ୍ତି କରିଦିଆଯିବା ପରେ ଏବେ ସଜାଗ ହୋଇପଡ଼ିଛନ୍ତି ଭୁବନେଶ୍ୱର ପୌରପାଳିକା ଓ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ । ଗତ ଦୁଇ ଦିିନ ହେଲା ଇସ୍କନ୍ ମନ୍ଦିରର ଅପରପାଶ୍ୱର୍ରେ ପୋତି ହୋଇପଡ଼ିଥିବା କଲଭର୍ଟ ଓ ନାଳକୁ ଖୋଳିବାରେ ଲାଗିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀ । ଆଇଆରସି ଅଂଚଳରୁ ଆସୁଥିବା ବର୍ଷା ଜଳକୁ ସଂପୂର୍ଣ୍ଣ ଭାବେ ବେହେରାସାହି ପଟକୁ ଛାଡ଼ିିଦିଆଗଲେ ବେହେରାସାହି ଭିତରେ ଥିବା ଅଧିକାଂଶ ଘରେ ପାଣି ପଶିଯିବ ବୋଲି ସ୍ଥାନୀୟ ଲୋକେ ଏଭଳି ନାଳକୁ ପୋତିଦେଉଥିବା ଅଭିଯୋଗ ହେଉଥିଲା ।

ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜାତୀୟ ରାଜପଥ କଡ଼ରେ ଯାଇଥିବା ଡ୍ରେନକୁ ଜୟଦେବ ବିହାର ପର୍ଯ୍ୟନ୍ତ ଲଗାଇବାକୁ ଯୋଜନା କରାଯାଉଛି । ଏଭଳି କାର୍ଯ୍ୟ ପାଇଁ ଅଧିକ ଖର୍ଚ୍ଚର ଆବଶ୍ୟକତା ରହିଥିବା ବେଳେ ଉଭୟ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ କେତେ ତତ୍ପର ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ । ଅନ୍ୟପଟରେ ଜାତୀୟ ରାଜପଥ ପ୍ରାଧିକରଣଙ୍କ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ପାଇପ୍ ପାଣି ଭର୍ତ୍ତି କରି ଜେଲ୍ ଯାଇଥିବା ଦୁଇ କଂଗ୍ରେସ କର୍ମୀଙ୍କୁ ବୁଧବାର ସନ୍ଧ୍ୟାରେ ଜାମିନ ମିଳିଛି । ଦୁଇ କର୍ମୀ ମନୋଜ ସାହୁ ଓ ମିହିର ଆଚାର୍ଯ୍ୟଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଛନ୍ତି କଂଗ୍ରେସ କର୍ମୀ ।