କରୋନା ମୁକାବିଲା ପାଇଁ ବିଏମସି ଓ ବିଡ଼ିଏର ପଦକ୍ଷେପ : ଗଠନ ହେଲା ୩ଟି ଟିମ, ମାସ୍କ ଓ ସାନିଟାଇଜର କଳାବଜାରକୁ ତଦାରଖ କରିବ ଟିମ୍

290

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ବିଏମସି ଓ ବିଡ଼ିଏ ପକ୍ଷରୁ ୩ଟି ଟିମ୍ ଗଠନ ହୋଇଛି । ମହାମାରୀ ରୂପ ନେଇଥିବା କରୋନାର ମୁବାକିଲା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଆଉ ଏଥିପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର୍ । ସିନେମା ହଲ, ସ୍କୁଲ, ଜିମ୍ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ, ଠିକରେ ପାଳନ ହେଉଛି କି ନାହିଁ, ତାହାକୁ ଏହି ଟିମ୍ ତଦାରଖ କରିବେ ।

କରୋନା କାୟାରୁ ମୁକୁଳିବା ପାଇଁ ଲୋକେ ଏବେ ମାସ୍କ ଓ ସାନିଟାଇଜର ଲୋକେ ବହୁଳ ବ୍ୟବହାର କରୁଛନ୍ତି । ଏପରିସ୍ଥଳେ କିଛି ଲାଭଖୋର ଦୋକାନୀ ଅଧିକ ଟଙ୍କା ନେଇ ମାସ୍କ ଓ ସାନିଟାଇଜର ବ୍ରିକି କରୁଛନ୍ତି । ମାସ୍କ ଓ ସାନିଟାଇଜର କଳାବଜାରକୁ ରୋକିବା ପାଇଁ ଗଠିତ ହୋଇଥିବା ଟିମ୍ ସବୁ ମେଡ଼ିକାଲ ଷ୍ଟୋର ଗୁଡ଼ିକ ଉପରେ ଅଚାନକ ଚଢ଼ାଇ ହେବ । ବିଏମସି ଓ ବିଡ଼ିଏ ପକ୍ଷରୁ ଗଠନ ହୋଇଥିବା ଟିମରେ ଥିବା ଅଧିକାରୀମାନେ ଆକ୍ସନ ନେବେ ।

ତେବେ ମଲ ବନ୍ଦ ପାଇଁ କୌଣସି ନିର୍ଦ୍ଦେଶାନାମା ନାହିଁ । ମଲରେ ବିଭିନ୍ନ ପ୍ରକାର ଦରକାରୀ ସାମଗ୍ରୀ ମିଳୁଥିବାରୁ ମଲକୁ ବନ୍ଦ କରାଯାଇ ନାହିଁ । ତେବେ ଲୋକେ ମଲକୁ ଗଲେ ଟିକିଏ ଅଧିକ ସଚେତନ ହେବା ଜରୁରୀ । କରୋନା ଭୟରେ ଗୁଜବ ପ୍ରଚାର ନକରି ଲୋକେ ସଚେତନ ହେଲେ ଅଧିକ ସୁବିଧା ହେବ । ବିବାହ ବନ୍ଦ କରିବା ପାଇଁ ମଧ୍ୟ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ । କିନ୍ତୁ ଲୋକେ ଏନେଇ ନିଜେ ଚିନ୍ତା କରିବା ଉଚିତ୍ । କିଛି ଏପରି ଉତ୍ସବରେ ସର୍ଦ୍ଦି କିମ୍ବା କାଶ ରୋଗୀ ଦୂରେଇ ରହିବା ଉଚିତ ।