ରୋଗୀଙ୍କୁ ରକ୍ତ ଦେଇ ସଂପର୍କ ଯୋଡିଲା ପୋଲିସ ! ଥାଲାସିମିଆ ରୋଗୀଙ୍କୁ ଓ-ନେଗେଟିଭ ବ୍ଲଡ ଦେଲେ ହାବିଲଦାର ରାଜୀବ କୁମାର ସେନାପତି

58

କନକ ବ୍ୟୁରୋ : ସମସ୍ତଙ୍କର ରକ୍ତ ସଂପର୍କୀୟ ଥାନ୍ତି, ହେଲେ ରକ୍ତ ଦେଇ ସଂପର୍କ ଯୋଡିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍ । ରକ୍ତ ଦେଇ ସଂପର୍କ ଯୋଡ଼ିବାକୁ ହୁଏତ, ଅନେକ ଚେଷ୍ଟା ବି କରନ୍ତି । ହେଲେ ବେଳେବେଳେ କର୍ତ୍ତବ୍ୟ କିମ୍ବା ଦାୟିତ୍ୱ ବାଟ ଓଗାଳେ । ଆଉ ଏହି ସବୁ ବାଧାକୁ ଅତିକ୍ରମ ରୋଗୀଙ୍କ ପାଖରେ ରକ୍ତଦାନ ପାଇଁ ପହଂଚିଥିଲେ ଜଣେ ହାବିଲଦାର ।

କର୍ତ୍ତବ୍ୟକୁ ସେବା ମନୋବୃତି ନେଇ କାମ କରୁଥିବା ଏବଂ ସେବାକୁ କର୍ତ୍ତବ୍ୟ ଭାବେ ଗ୍ରହଣ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜୀବ କୁମାର ସେନାପତି । ପେଶାରେ ପୁଲିସ ହାବିଲଦାର । ଖରାବର୍ଷାକୁ ଖାତିର ନକରି ନିଜ ଦାୟିତ୍ୱ ତୁଲାଉଥିବା ରାଜୀବ, ମାନବିକତାର ଡାକ ଶୁଣିଲେ ଧାଇଁ ଯାଆନ୍ତି ରୋଗୀ ପାଖକୁ ରକ୍ତଦାନ କରିବା ପାଇଁ । କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଅଚାନକ୍ ଫୋନ୍ ଆସିଲା, କ୍ୟାପିଟାଲ ହସ୍ପିଟାଲରେ ଜଣେ ଥାଲେସେମିଆ ରୋଗୀଙ୍କୁ ରକ୍ତ ଦରକାର । ଓ’ ନେଗେଟିଭ୍ ବ୍ଲଡ୍ । ଆଉ କିଛି ଚିନ୍ତା ନକରି ଡିସିପିଙ୍କ ଅନୁମତି ନେଇ ଛୁଟିଲେ ହସ୍ପିଟାଲ ରାଜୀବ ।

ବୁନ୍ଦାଏ ରକ୍ତ ପାଇଁ କିଏ, କେଉଁଠି ଆପଣଙ୍କୁ ଅପେକ୍ଷା କରି ରହିଥାଏ, ଏମିତି ଅନେକ ସ୍ଲୋଗାନ୍ ଦିଆ ଯାଏ, ହେଲେ ଏମିତି ସ୍ଲୋଗାନକୁ କାର୍ଯ୍ୟରେ ଲଗାନ୍ତି ରାଜୀବଙ୍କ ଭଳି କିଛି ଉଦାର ମଣିଷ । ରାଜବୀ ପୂର୍ବରୁ ଅନେକ ଥର ଏମିତି ରକ୍ତଦାନ ମଧ୍ୟ କରିଛନ୍ତି । ଖାକି ପୋଷାକଧାରୀଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳେ, ହେଲେ ଏସବୁ ଭିତରେ ଏମିତି କିଛି ବର୍ଦ୍ଦିଧାରୀ ଅଛନ୍ତି, ଯାହାଙ୍କ ମାନବିକତା ଦେଖିଲେ, ଆପଣାଛାଏଁ ପୁଲିସ ବାବୁଙ୍କ ପ୍ରତିଥିବା ଆମ ଧାରଣା ବଦଳି ଯାଏ ।