ବିମୁଦ୍ରାକରଣ ପରେ ସରକାରଙ୍କୁ ମିଳିଲା ୪୯୦୦ କୋଟି ଟଙ୍କାର କଳାଧନ !

37

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ ଦେଶରୁ କଳାଟଙ୍କା ବାହାର କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେଓ୍ଵାଇ) ନାମରେ ଏକ ସ୍କିମ୍‌ ଘୋଷଣା କରିଥିଲେ । ଏହି ସ୍କିମ୍‌ରେ ସରକାର ୪୯୦୦ କୋଟି ଟଙ୍କାର କଳାଧନ ପାଇଛନ୍ତି । ୨୧ ହଜାର ଲୋକ ଏହି କଳାଧନ ଘୋଷଣା କରିଛନ୍ତି । ସରକାର ଏହି କଳାଟଙ୍କା ବାବଦରେ ୨୪୫୧ କୋଟି ଟଙ୍କାର ଟିକସ ରାଶି ପାଇଛନ୍ତି । ଗତବର୍ଷ ଘୋଷଣା କରାଯାଇଥିବା ପିଏମଜିକେଓ୍ଵାଇର ଶେଷ ଦିବସ ଚଳିତବର୍ଷ ମାର୍ଚ୍ଚ ୩୧ ରଖାଯାଇଥିଲା । ଏହି ସମୟ ମଧ୍ୟରେ ୨୧ ହଜାର ଜଣ ୪୯୦୦ କୋଟି ଟଙ୍କାର କଳାଧନ ଘୋଷଣା କରିଛନ୍ତି । କେତେକ ଘୋଷଣାକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଆୟକର ବିଭାଗ ଯୋଜନା ଚଳାଇଛି ।

ଏହି ଯୋଜନାରେ କଳାଧନ ଘୋଷଣା କରିଥିବା ବ୍ୟକ୍ତିମାନଙ୍କଠାରୁ ସରକାର ୪୯.୯୦ ପ୍ରତିଶତ ଅର୍ଥ ଟିକସ, ସରଚାର୍ଜ ଏବଂ ଜରିମାନା ଆକାରରେ ନେବେ । ଏହା ବ୍ୟତୀତ ୨୫ ପ୍ରତିଶତ ଅର୍ଥକୁ ୪ ବର୍ଷ ପାଇଁ ବ୍ୟାଙ୍କରେ ବିନା ସୁଧରେ ଜମା ରହିବ । କେବଳ ୨୫ ପ୍ରତିଶତ ଅର୍ଥ ସମ୍ପୃକ୍ତ ବ୍ୟକ୍ତିମାନେ ଉଠାଇବା ସୁଯୋଗ ପାଇବେ । କଳାଟଙ୍କାକୁ ଧଳା କରିବା ସହିତ ଦଣ୍ଡବିଧାନରୁ ବର୍ତ୍ତିବା ପାଇଁ ପିଏମ dଜିକେଓ୍ଵାଇ ଶେଷ ସୁଯୋଗ ରହିଥିଲା । ପିଏମଜିକେଓ୍ଵାଇ ପୂର୍ବରୁ ସରକାର ଦେଶ ଭିତରୁ କଳାଟଙ୍କା ବାହାର କରିବା ପାଇଁ ଆଇଡିଏସ୍‌ ( ଆୟ ଘୋଷଣା ସ୍କିମ୍‌) ଘୋଷଣା କରିଥିଲେ । ୨୦୧୬ ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏ ନେଇ ୪ ମାସ ସମୟ ଲୋକମାନଙ୍କୁ ଦେଇଥିଲେ । ଏଥିରେ ୭୧,୭୨୬ ଜଣ ସେମାନଙ୍କ କଳାଟଙ୍କା ବିଷୟରେ ଘୋଷଣା କରିଥିଲେ । ଏବାବଦରେ ମୋଟ ୬୭,୩୮୨ କୋଟିର କଳାଟଙ୍କା ମିଳିଥିଲା । ଆଇଡିଏସରୁ ସରକାର ଏ ପର୍ଯ୍ୟନ୍ତ ୧୨,୭୦୦ କୋଟି ଟଙ୍କାର ଟିକସ ରାଜସ୍ୱ ପାଇଛନ୍ତି ।

ଏହା ପୂର୍ବରୁ ୨୦୧୫ରେ ମୋଦି ସରକାର କଳାଟଙ୍କା ବାହାର କରିବା ଲାଗି ଏକ ସ୍କିମ୍‌ ଆଣିଥିଲେ । ବିଦେଶରୁ କଳାଟଙ୍କା ଆଣିବା ଲାଗି ଏହି ସ୍କିମ୍‌ ଅଣାଯାଇଥିଲା । କିନ୍ତୁ ଏହି ଯୋଜନାରେ ୬୪୪ ଜଣ ମୋଟ ୪୧୬୪ କୋଟି ଟଙ୍କା ଘୋଷଣା କରିଥିଲେ । ୨୦୧୫ ଜୁଲାଇ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୩ ମାସ ପାଇଁ ଏହି ସ୍କିମ୍‌ରେ କଳାଟଙ୍କା ଘୋଷଣା କରିବା ସୁଯୋଗ ଭାରତୀୟମାନଙ୍କୁ ପ୍ରଦାନ କରାଯାଇଥିଲା । ସରକାର ଏଥିରୁ ୨୪୨୮.୪ କୋଟି ଟଙ୍କା ଟିକସ ବାବଦରେ ପାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ମୋଦି ସରକାର ଦେଶ ଏବଂ ବିଦେଶରୁ କଳାଧନ ବାହାର କରିବା ପାଇଁ ଏ ପର୍ଯ୍ୟନ୍ତ ଘୋଷଣା କରିଥିବା ୩ଟି ଯୋଜନା ବାବଦରେ ମୋଟ ୭୬୪୪୬ କୋଟି ଟଙ୍କା ପାଇଛନ୍ତି । ଏଥିରୁ ସରକାରଙ୍କୁ ଟିକସ ବାବଦରେ ମୋଟ ୧୭,୫୭୯ କୋଟି ଟଙ୍କା ମିିଳିଛି।

କେଉଁ ଯୋଜନାରେ କେତେ (ବିମୁଦ୍ରାକରଣ ପରେ) :

ସ୍କିମ୍‌ କଳାଧନ ଘୋଷଣା ସରକାରଙ୍କୁ ଟିକସ ପିଏମ୍‌ଜିକେଓ୍ଵାଇ ୪୯୦୦ କୋଟି ଟଙ୍କା ୨୪୫୧ କୋଟି ଟଙ୍କା

କେଉଁ ଯୋଜନାରେ କେତେ (ବିମୁଦ୍ରାକରଣ ପୂର୍ବରୁ):
ଆଇଡିଏସ୍‌ ୬୭୩୮୨କୋଟି ଟଙ୍କା ୧୨୭୦୦ କୋଟି ଟଙ୍କା, ବିଦେଶରୁ କଳାଟଙ୍କା ୪୧୬୪ କୋଟି ଟଙ୍କା ୨୪୨୮ କୋଟି ଟଙ୍କା

ମୋଟ ୭୬୪୪୬ କୋଟି ଟଙ୍କା ୧୭୫୭୯ କୋଟି ଟଙ୍କା